ବ୍ରହ୍ମପୁର , ୧୩/୧୨ – ( ପ୍ରଫୁଲ୍ଲ ସାବତ ) -:- ଓଡ଼ିଶା ସମନ୍ଵିତ ଜଳସେଚନ ପ୍ରକଳ୍ପ ଏବଂ ଜଳବାୟୁ ସହନଶୀଳ କୃଷି କର୍ମ ପରିଚାଳନା ନେଇ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜିଉରା ପଞ୍ଚାୟତକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ ଗସ୍ତ କରି ଅଞ୍ଚଳ ଚାଷୀଙ୍କ ସମସ୍ୟା ସହିତ ସ୍ଥାନୀୟ କ୍ଷୁଦ୍ର ଜଳ ସେଚନ ବ୍ୟବସ୍ଥା ଭିତ୍ତିରେ ମାଛ ଚାଷ , ଶଙ୍କର ଜାତୀୟ ପନିପରିବା , ଡାଲି ଜାତୀୟ , ତୈଳବୀଜ ସହ ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦେଇଛନ୍ତି । କୃଷି ଓ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ଜିଉରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରକାରଙ୍କ ‘କୃଷି ଶକ୍ତି ଅଭିଯାନ’ ଅନ୍ତର୍ଗତରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସରଳ ସମାଧାନ ବିଷୟରେ ୱାର୍ଡ ବେଙ୍କ ପ୍ରତିନିଧି ଜଳ ସମ୍ପଦ ବିଶେଷଜ୍ଞ ଅଞ୍ଜୁ ଗୌର , ଟିମ୍ ଲିଡର ସମୀର ଦାସ ଏବଂ ରାଜ୍ୟ ପ୍ରତିନିଧି ମୁଖ୍ୟ ରଶ୍ମିରଞ୍ଜନ ସାହୁ ପ୍ରମୁଖ ଚାଷୀମାନଙ୍କୁ ସଚେତନ କରିଥିଲେ ।

ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କ ମାଧ୍ୟମରେ କରାଯାଇଥିବା ମାଛ ଚାଷ ପାଇଁ ଆଜି ସମଗ୍ର ରାଜ୍ୟ ପ୍ରଶଂସିତ ହେଉଥିବା ପ୍ରତିନିଧି ମଣ୍ଡଳୀ ଅବତାରଣା କରିବା ସହ ଜିଉରା କୃଷ୍ଣ ସାଗର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପ ଉପର ମୁଣ୍ଡରେ ଥିବା ଚାଷ ଜମିକୁ ସୋଲାର ଶକ୍ତି ମାଧ୍ୟମରେ ଜଳସେଚିତ କରିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଲକ୍ଷ୍ମୀ ଚରଣ ପାତ୍ରଙ୍କ ମାଧ୍ୟମରେ ଗୃହୀତ ପ୍ରସ୍ତାବକୁ ପ୍ରତିନିଧି ମଣ୍ଡଳୀ ଲିପିବଦ୍ଧ କରିଥିଲେ l ଏଥି ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୁରକ୍ଷା କାନ୍ଥ ନିର୍ମାଣ , ଅଞ୍ଚଳର ପରିବା ଚାଷକୁ ପ୍ରୋତ୍ସାହିତ କରିବାକୁ ପରିବା ଗୋଦାମ ଏବଂ ପରିବାର ଅଭାବୀ ବିକ୍ରୀରୁ ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରପଞ୍ଚ ଲିସା ରାଣୀ ପାତ୍ର ପ୍ରସ୍ତାବ ମଧ୍ୟ ଦେଇଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ , ଜିଲ୍ଲା ମତ୍ସ ଅଧିକାରୀ ନିମାଇଁ ଚରଣ ବସ୍ତିୟା , ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ସାଗର କୁମାର , ଉଦ୍ୟାନ ବିଭାଗ ଉପ କୃଷି ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପଣ୍ଡା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ , ସାନଖେମୁଣ୍ଡି ସହକାରୀ କୃଷି ଅଧିକାରୀ ବିଶ୍ୱରଂଜନ ରାଉତ , ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଦେବୀ , ସହକାରୀ ଉଦ୍ୟାନ ଅଧିକାରୀ ସୁରଭି ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ଚାଷ ଓ ଜଳସେଚନର ସମସ୍ତ କାର୍ଯ୍ୟକ୍ରମ ଉପରେ ଚାଷୀଙ୍କୁ ତଥ୍ୟ ଭିତ୍ତିକ ଉପସ୍ଥାପନା କରିଥିଲେ ।

