ଧରାକୋଟ,22/3/24
ଗୋଟିଏ ପଟରେ ନବୀନ ଓଡିଶା ଗତିଶୀଳ ଓଡ଼ିଶା ଦ୍ଵାରା ଚଳାଚଳ କରୁଥିବା ଲକ୍ଷ୍ମୀ ବସ ସେବା ଯୋଗୁଁ ଗ୍ରାମାଞ୍ଚଳ ର ଲୋକଙ୍କ ମଧ୍ୟରେ ଖୁସି ସଂଚାର ହୋଇଥିବା ବେଳେ ଘରୋଇ ବସ ମାଲିକଙ୍କ ଅଘୋଷିତ ଚାଲେଞ୍ଜ ଯୋଗୁଁ ଧରାକୋଟ ଅଞ୍ଚଳର ଯାତ୍ରୀ ପରିବହନ ସେବା ରସାତଳ ଗାମୀ ହେଲାଣି । ଆଶ୍ଚର୍ଯ୍ୟର କଥା ହେଉଛି ଧରାକୋଟ ରେ ବ୍ଲକ,ତହସିଲ,ବ୍ୟାଙ୍କ,ମେଡିକାଲ ଓ ଥାନା ସମେତ ସଂଖ୍ୟାଧିକ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ନିଜ ନିଜ ର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆସନ୍ତି । ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ ସେବା ଯୋଗୁଁ ବ୍ଲକ ଅଧିନସ୍ଥ ଅଠର ଗୋଟି ପଞ୍ଚାୟତ ର ଲୋକେ ପଞ୍ଚାୟତ ରୁ ବ୍ଲକ ସଦରମହକୁମା ଧରାକୋଟ ଆସିବା ପାଇଁ ପଥ ସୁଗମ ହୋଇପାରିଛି । ଯାହାର ପ୍ରତିକୂଳ ପ୍ରଭାବ ଘରୋଇ ବସ ଉପରେ ପଡୁଛି। ବ୍ରହ୍ମପୁର ଠାରୁ ସୋରଡ଼ା ଯାଉଥିବା ପ୍ରାୟ ତିରିଶି ରୁ ଅଧିକ ବସ ମଧ୍ୟରୁ କିଛି ବସ ଧରାକୋଟ ଭିତରେ ଚଳାଚଳ କରୁଥିଲା। ଏହା ମଧ୍ୟରେ ଧରାକୋଟ ଠାରୁ ଜାନବିଲି ରାସ୍ତା ନିର୍ମାଣ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଓ ରାସ୍ତା ଚଉଡା ନଥିବା ଦର୍ଶାଇ ଅଧିକାଂଶ ବସ ବାଇପାସ ଦେଇ ଚଳାଚଳ କରୁଛି। ସଂପ୍ରତି ଧରାକୋଟ ଭିତର ରାସ୍ତା କାମ ସରିବା ସହ ସମ୍ପ୍ରସାରଣ ହୋଇ ଚଉଡା ମଧ୍ୟ ହେଲାଣି । କିନ୍ତୁ ଘରୋଇ ବସ ଚଳାଚଳ ସ୍ବାଭାବିକ ହୋଇନାହିଁ । ଏଣୁ ଧରାକୋଟ ରୁ ସୋରଡ଼ା ଓ ବ୍ରହ୍ମପୁର ଯିବା ସମୟ ସାପେକ୍ଷ ହେଉଛି । ଲକ୍ଷ୍ମୀ ବସ ଚଳାଚଳ କରୁଥିବା ଯୋଗୁଁ ଅତ୍ୟନ୍ତ ବେପରୁଆ ଭାବରେ ଘରୋଇ ବସ ଗୁଡ଼ିକ ଅଘୋଷିତ ଚାଲେଞ୍ଜ ଦେଇ ବାଇପାସ ଦେଇ ଚାଲି ଯାଉଛନ୍ତି । ଏଣୁ ଏଠାରୁ ଦେଢ଼ କିମି ଦୂର ବ୍ରିଜ ନିକଟକୁ ଛୁଆ ପିଲା ସହ ବେଗ ପତ୍ର ଧରି ଚାଲି ଚାଲି ଯିବାକୁ ପଡୁଛି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା ବ୍ରହ୍ମପୁର ଠାରୁ ବାଲିଗୁଡା ପର୍ଯ୍ୟନ୍ତ ଯାଉଥିବା ରାଜ୍ୟ ପରିବହନ ନିଗମର ବସ ମଧ୍ୟ ଭିତରେ ନ ଆସି ବାଇପାସ ଦେଇ ଯାତାୟାତ କରୁଛି । ଧରାକୋଟ ଭିତରେ ଯିବାପାଇଁ ପର୍ମିଟ ରହିଥିବା ବସ ମଧ୍ୟ ବାହାରେ ଯାଉଛି। ପ୍ରଶାସନର ଧଳା ହାତୀ ମାନେ ଉଦାସୀନ ପାଲଟି କୋମା ସ୍ଥିତି କୁ ଚାଲିଯାଇଛନ୍ତି । ବଜାର ଭିତରେ ଭିଡ଼ ନିୟନ୍ତ୍ରଣ ଓ ରାଜସ୍ୱ ବିଭାଗର ଚିହ୍ନଟ ଅଞ୍ଚଳ ଭିତରେ ନରହି ଡ୍ରେନ ଉପରକୁ ଉଠି ଆସିଥିବା ଦୋକାନୀ ମାନଙ୍କ ପ୍ରତି ଉଭୟ ତହସିଲ ଓ ପୋଲିସ ପ୍ରଶାସନ ତରଫରୁ କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି । ଯାହାର ପ୍ରତ୍ୟକ୍ଷ ପ୍ରଭାବ ଯାତ୍ରୀ ପରିବହନ ସେବା ଉପରେ ପଡୁଛି। ଗ୍ରାମାଞ୍ଚଳ କୁ ସହରାଞ୍ଚଳ ସହ ଯୋଡିବା ପାଇଁ ଲକ୍ଷ୍ମୀ ବସ ସେବା ସ୍ବାଗତ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଶାସନିକ ପଦାଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଘରୋଇ ବସ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ । ଏଣୁ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀ ଧରାକୋଟ ର ବସ ଚଳାଚଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।
