ଖଲ୍ଲିକୋଟ : ତା -06. 01 ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ମାତୃ ଭାରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାତୃ ଭାରତୀ ମହିଳା ମାନଙ୍କର ଏକ ମଞ୍ଚ ଅଟେ। ଯେଉଁଥିରେ ସେମାନେ ନିଜର ବିକାଶ କରିବା ସହ ସମାଜର ଅନ୍ୟ ମହିଳା ମାନଙ୍କର ବିକାଶରେ ସହଭାଗିତା କରନ୍ତି। ମାଆ ମାନଙ୍କର ବିକାଶରେ ଶିଶୁ ମାନଙ୍କର ବିକାଶ ହେବା ସହ ରାଷ୍ଟ୍ରର ବିକାଶ ହେବ ।ସେଥିପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ମାଆ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା।

ଯେପରି କି ରଙ୍ଗୋଲୀ(ଝୋଟି), ଶଙ୍ଖ ଧ୍ବନି, ଗୀତ ପରିବେଷଣ ଓ ହୁଳହୁଳି ଅନ୍ୟତମ। ଏହି ପ୍ରତିଯୋଗିତାରେ ୫୦ ଜଣ ମାଆ ଭାଗ ନେଇଥିଲେ। ମୂଖ୍ୟ ଅତିଥି ଭାବରେ ସୁଦର୍ଶନ ପାତ୍ର, ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ପ୍ରତିଯୋଗିତାର ମୂଲ୍ୟାୟନ ପାଇଁ ଡିମିରିଆ ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ପ୍ରିୟ ରଞ୍ଜନ ସାମନ୍ତ ଯୋଗ ଦେଇଥିଲେ।


କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମକୁ ଵିଦ୍ୟା ମନ୍ଦିରର ସଭାପତି ଭାଗିରଥି ସ୍ବାଇଁ ଓ ସଂପାଦକ ରୋହିତ ସ୍ବାଇଁ ପରିଚାଳନା କରିଥିବା ବେଳେ ଗୁରୁ ମାଆ ମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
