ଖଲ୍ଲିକୋଟ : 24.01ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ପକ୍ଷରୁ ଆଜି ସ୍ଥାନୀୟ ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବାର୍ଷିକ କ୍ରୀଡା ଉତ୍ସବ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଉତ୍ସବର ଶୁଭ ଉଦଘାଟନ କରିଥିଲାବେଳେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାର ଭିତ୍ତିଭୂମି ସୁଦୃଢ଼ ହେବା ଦ୍ୱାରା ଶିକ୍ଷାର୍ଥୀଙ୍କ ବୃହତ୍ତର ସ୍ୱାର୍ଥ ପରିପୂରଣ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ପରିଡ଼ା କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଆନ୍ତରିକତା ବୃଦ୍ଧି, ସଫଳ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ଫଳରେ ତାହାର ସୁପ୍ରଭାବ ସମାଜ ଉପରେ ପଡ଼ିଥାଏ, ସେ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାର କ୍ରୀଡ଼ାବିତଙ୍କୁ ସବୁ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇବାର ନିଶ୍ଚିତ ପ୍ରୟୋଜନତା ରହିଛି, ଏସମ୍ପର୍କରେ ବିଶଦ ରୂପେ ଆଲୋଚନା କରିଥିଲେ । ପ୍ରତିଷ୍ଠାନର କ୍ରୀଡା ସଂଯୋଜକ ସୁକୁଲେଇ ଟୁଡୁ କ୍ରୀଡା ସମ୍ପର୍କୀୟ ତଥ୍ୟ ଉପସ୍ଥାପନ କରିଥିଲେ । ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭଗବାନ ବେହେରା, କନକ ମଞ୍ଜରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁକାନ୍ତ ବେହେରା, ଇ ଟି ଆଇ ଚିକିଟିର କ୍ରୀଡା ପ୍ରଶିକ୍ଷକ ରମେଶ କୁମାର ମିଶ୍ର,ୟୁ ଜି ଏଚ୍ ଏସ କେଶପୁରର କ୍ରୀଡା ପ୍ରଶିକ୍ଷକ ପ୍ରତାଞ୍ଜଳି ମହାନ୍ତି ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାର ବିଚାରକ ଭାବେ ଉପସ୍ଥିତ ଥିଲେ । ଆଜି ଉଦଘାଟିତ କ୍ରୀଡା ଉତ୍ସବରେ ୧୦୦ମିଟର, ୨୦୦ମିଟର ଦୈାଡ ଏବଂ ଲମ୍ବ ଡିଆଁ ଉଭୟ ପ୍ରଥମ, ଦ୍ୱିତୀୟ ବର୍ଷ ଗୁରୁ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପନ୍ନ ହୋଇଯାଇଛି ।

ପ୍ରଶିକ୍ଷକ ନବୀନ ପ୍ରମାଣିକ ଧନ୍ୟବାଦ ଅର୍ପଣ କରିଥିଲାବେଳେ ପ୍ରତିଷ୍ଠାନର ସମସ୍ତ ପ୍ରଶିକ୍ଷକ, ପ୍ରଶିକ୍ଷିକା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ବାର୍ଷିକ ଉତ୍ସବ ପରିଚାଳନା କାର୍ଯ୍ୟ ସମ୍ପାଦନ କରିଥିଲେ । ଆସନ୍ତାକାଲି ଏହି ଉତ୍ସବ ଉଦଯାପିତ ହେବ ବୋଲି ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ମତବ୍ୟକ୍ତ କରିଛନ୍ତି ।
( ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
