You are currently viewing ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲରେ ମେଧାବୀଙ୍କୁ ସମ୍ବର୍ଦ୍ଧନା
ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲରେ ମେଧାବୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ଚଳିତ ବର୍ଷ ସିବିଏସି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳରେ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲ, ଅନୁଗୁଳର ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ପ୍ରାପ୍ତ କରିଛନ୍ତି । ଦଶମରେ ବିଦ୍ୟାଳୟର ଛାତ୍ରୀ ରାଜ ରାଜେଶ୍ବରୀ ସାହୁ ୯୪.୬ ପ୍ରତିଶତ ଅଙ୍କପ୍ରାପ୍ତ କରି ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହ, ସେ ଗଣିତରେ ୧୦୦ ଅଙ୍କ ପ୍ରାପ୍ତ କରିଛନ୍ତି । ପ୍ରିତୀପ୍ରଜ୍ଞା ହୋତା ୯୨.୨ ପ୍ରତିଶତ ଅଙ୍କସହ ସାମାଜିକ ବିଜ୍ଞାନରେ ୧୦୦ ଅଙ୍କ ପ୍ରାପ୍ତ କରି ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ବିଦ୍ୟାଳୟର ଛାତ୍ର ସନ୍ଦୀପ କୁମାର ସାହୁଓ ଛାତ୍ରୀ ଗ୍ରିଣ୍ଡା ଗୀତାଶ୍ରୀ ତ୍ରିପାଠୀ ୯୧.୬ ପ୍ରତିଶତ ଅଙ୍କ ପ୍ରାପ୍ତ କରି ତୃତୀୟ ସ୍ଥାନରେ ଅଛନ୍ତି । ଦ୍ବାଦଶରେ ବିଦ୍ୟାଳୟର ଛାତ୍ର ଜ୍ୟୋତିର୍ମୟ ମହାନ୍ତ ୯୬.୮ ପ୍ରତିଶତ ଅଙ୍କ ପ୍ରାପ୍ତ କରି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ପୀୟୂଷ ଦାସ ୯୫ ପ୍ରତିଶତରେ ଦ୍ୱିତୀୟ ଓ ଶାଶ୍ବତ କୁମାର ସାହୁ ୯୩ ପ୍ରତିଶତ ଅଙ୍କ ପ୍ରାପ୍ତ କରି ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ବିଦ୍ୟାଳୟର ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଜି ବିଦ୍ୟାଳୟ ପରିସରରେ ଭାଇସ ଚେୟାରମେନ ଶ୍ରୀମତୀ ଆର୍ଯ୍ୟସୂତା ଧଳ ମହୋଦୟା ପୁଷ୍ପ ଗୁଛ ଓ ଉପହାର ଦେଇ ସମ୍ବଦ୍ଧିତ କରିଛନ୍ତି | ବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ମହେଶ ଚନ୍ଦ୍ର ଧଳ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ମହୋଦୟ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଉତ୍ତମ ନାଗରିକ ହୋଇ ଦେଶମାତୃକା ଓ ସମାଜର କଲ୍ୟାଣ ସାଧନା କରିବା ନିମନ୍ତେ ପ୍ରେରଣା ଦେଇଥିଲେ ।

ଆଦର୍ଶ ଶିକ୍ଷା ଅନୁଷ୍ଠାନ ସମୂହର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଧଳ ମହୋଦୟ ପିଲାମାନଙ୍କୁ ସମୟର ମୂଲ୍ୟ ଓ ପିତାମାତାଙ୍କ ସ୍ବପ୍ନକୁ କିପରି ବାସ୍ତବ ରୂପାୟନ କରିବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଅଭିଭାବକଙ୍କର ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।