ଚିକିଟୀ– ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ କଳା ବିଭାଗର ବାର୍ଷିକ ପରୀକ୍ଷା ୨୦୨୫–୨୬ ରେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ର ଶାରୀରିକ ଦିବ୍ୟାଙ୍ଗ ଛାତ୍ର ସୁନିତ୍ କୁମାର ମହାରଣା ଶତକଡା ୮୦.୮୩ % ରଖିଥିବା ବେଳେ ଗଣେଶ ସାହୁ ଶତକଡା ୭୪ % ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପ୍ରଶଂସା ଅର୍ଜନ କରିପାରିଛନ୍ତି। ସେମାନଙ୍କର ଏହି କୃତିତ୍ବ ହାସଲରେ ଚିକିଟୀ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ସେମାନଙ୍କ ପାଇଁ ଖୁସି ବାର୍ତ୍ତାର ସୁଅ ଛୁଟିଛି। ଶାରୀରିକ ସମସ୍ୟା ଥିବା ସତ୍ତ୍ୱେ କେବେ ହେଲେ ନିଜର ମନୋବଳ ନ ହରାଇ ଏହି ଦୁଇ ଦିବ୍ୟାଙ୍ଗ ଛାତ୍ର ନିୟମିତ ଅଧ୍ୟୟନ, ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି ବୋଲି ଖୁସିରେ ମତ ପ୍ରଦାନ କରିଛନ୍ତି। ଉଭୟ ଛାତ୍ରଙ୍କ
ସଫଳତାରେ ତାଙ୍କ ପରିବାର, ବନ୍ଧୁ ପରିଜନ, ଶିକ୍ଷକ ଓ ସହପାଠୀ ମାନେ ଗର୍ବ ଅନୁଭବ କରିଛନ୍ତି। ଶିକ୍ଷକ ମାନେ କହିଛନ୍ତି ଯେ, ଉଭୟ ପରିଶ୍ରମୀ ଓ ଶିଷ୍ଟ ଛାତ୍ର ଥିଲେ। ପରୀକ୍ଷା ପାଇଁ ଦୁହେଁ ଅତ୍ୟନ୍ତ ନିଷ୍ଠାର ସହ ପ୍ରସ୍ତୁତି କରିଥିଲେ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ହୋଇଛି। ସୁନିତ୍ ଙ୍କ ପିତା ଈଶ୍ୱର ମହାରଣା ଓ ଗଣେଶଙ୍କ ପିତା ରଘୁନାଥ ସାହୁ ନିଜର ଦିବ୍ୟାଙ୍ଗ ପୁଅର ଏହି ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ, ପୁଅର ସାଙ୍ଗସାଥୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି ଏହି ଅଞ୍ଚଳ, ରାଜ୍ୟ ତଥା ଦେଶର ସୁନାମ ରଖିବା ସହ ଅନ୍ୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଦୁଇ ଦିବ୍ୟାଙ୍ଗ ଛାତ୍ରଙ୍କ ଉଦ୍ଦେଶ୍ୟରେ ମତ ପ୍ରଦାନ କରିଥିବା ସହ ସେମାନଙ୍କର ଏହି ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି।
