ବେଗୁନିଆପଡ଼ା
ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟ ଗୁଡିକ ପରିଚାଳନା ପାଇଁ ନିର୍ଦ୍ଧିଷ୍ଟ ଗାଇଡଲାଇନ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନ ର ଧଜିଆ ଉଡାଇବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି।ସୂଚନା ଅନୁଯାୟୀ ଗୁରୁବାର କୋଦଳା ନିକଟସ୍ଥ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ ପରିସରରେ ଏକ ସାମାଜିକ ନାଟକ ପରିବେଷଣକୁ ନେଇ ଅଭିଯୋଗ କରିଛି ବିଜେପି। ଅଭିଯୋଗ ଅନୁସାରେ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ କ୍ଯାମ୍ପସ୍ ଭିତରେ ଗୁରୁବାର ଏକ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। ଖୋଦ୍ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହି ନାଟକ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମାନେ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେବେ ବିଦ୍ୟାଳୟ ହତା ମଧ୍ୟରେ ପ୍ରାଇଭେଟ ଅନୁଷ୍ଠାନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରିବାପାଇଁ ବାରଣ ରହିଥିବା ବେଳେ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ଉପସଭାପତି ଅନୀତା ଶୁଭଦର୍ଶନୀ। ଏନେଇ ମେଲ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।ସେପଟେ ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଅଜାଣତରେ ନାଟକ ହୋଇଥିବା ଏବଂ ଏଥିପାଇଁ କେହି ତାଙ୍କୁ ପଚାରି ନଥିବା ସେ କହିଛନ୍ତି। ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏନେଇ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। ତେବେ ବିଦ୍ୟାଳୟ ପରିସରରେ ନାଟକ ପରିବେଷଣକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
