ସାନଖେମୁଣ୍ଡି ୨୫/୧୦ : ସାନଖେମୁଣ୍ଡି ତହସିଲ୍ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲ୍ ର ସାମନ୍ତରାପୁର ମୌଜାର ସରକାରୀ ଜମିରେ ତିନି ପୁରୁଷ ଧରି ଚାଷବାସ କରି କିଛି ପରିବାର ଚଳି ଆସୁଛନ୍ତି। ରାଜସ୍ବ ଖଜଣା ପାଉତି ଦେଇ ଧାନ ମୁଗ ବିରି କାନ୍ଦୁଲ ପ୍ରଭୃତି ଫସଲ ଚାଷ କରି ଆସୁଥିବା ବେଳେ ଉକ୍ତ ସରକାରୀ ଚାଷ ଜମିକୁ ନେଇ ଗତ କିଛି ବର୍ଷ ଧରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଫସଲ ଅମଳ ବେଳକୁ ଅନ୍ୟ ଏକ ଗୋଷ୍ଠି ଚାଷ ଜମିରେ ଗୋରୁ ଛେଳି ମେଣ୍ଢା ପଲ ପୁରେଇ ଫସଲ ନଷ୍ଟ କରୁଛନ୍ତି। ଗୋଷ୍ଠି ସଂଘର୍ଷ ଆଶଙ୍କାରେ ତହସିଲ ଓ ପୋଲିସ ପ୍ରଶାସନ ପହଞ୍ଚି ୧୪୪ ଧାରା ଏକାଧିକ ଥର ଲଗାଇଛି। କିନ୍ତୁ ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ପାରୁନି ଏବଂ ଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଜି ଉକ୍ତ ସରକାରୀ ଚାଷ ଜମିକୁ ନେଇ ବିବାଦ ଉପୁଜିବା ସହ ଚାଷ ଜମିରେ ଗୋରୁପଲ ପସେଇ ଫଳନ୍ତି ଫସଲ ନଷ୍ଟ କରାଯାଇଛି। ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜା ସରକାରୀ ଚାଷ ଜମିରେ ଆଜି ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସାମନ୍ତରାପୁର ମୌଜାର ଖାତାନଂ ୧୫୪ ର କିଛି ପରିମାଣର ଜମିରେ ୯ ଜଣ ପରିବାର ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି। ତେବେ ଅନ୍ୟ ଗାଁ ର ଲୋକେ ନିଜ ଗାଁ ମୌଜା ଜମିରେ ଚାଷ କରିପାରିବେ ନାହିଁ ବୋଲି ସାମନ୍ତରାପୁର ଗ୍ରାମର ଲୋକେ ଯୁକ୍ତି କରୁଛନ୍ତି। ଅନ୍ୟ ପକ୍ଷରେ ସାମନ୍ତରାପୁର ଗ୍ରାମର ଲୋଜେ ଶତାଧିକ ହେକ୍ଟର ସରକାରୀ ଜମିରେ ଚାଷ କରୁଥିବା ବେଳେ ଅଳ୍ପ ଜମିରେ ନିୟମ ମୁତାବକ ଜମି ଜଳ ଖଜଣା ପାଉତି ଦେଇ ଚାଷ କରି ଆସୁଥିଲୁ ଏଣୁ ଆମକୁ ଚାଷରୁ ବେଦଖଲ କରା ନଯାଉ ବୋଲି ୯ ପରିବାର କହି ଆସୁଛନ୍ତି। ଏହି ଜମି ମାମଲାକୁ ନେଇ ଉଭୟ ଗୋଷ୍ଠିଙ୍କ ପକ୍ଷରୁ ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଛି।ଚଳିତ ବର୍ଷ ମଧ୍ୟ ୯ ପରିବାର ଧାନ ବିରି ଆଦି ଚାଷ କରିଥିଲା ବେଳେ ଆଜି ସକାଳୁ ସାମନ୍ତରାପୁର ଗ୍ରାମର ଶତାଧିକ ଲୋକେ ସଂଘବଦ୍ଧ ହୋଇ ଉକ୍ତ ଜମିରେ ଗୋରୁପଲ ମାରି ଫସଲ ନଷ୍ଟ କରିଛନ୍ତି। ତେବେ ଏହି ବିବାଦ ସଂଘର୍ଷ ରୂପ ନେବା ଆଶଙ୍କା କରି ପାଟପୁର ପୋଲିସ ପକ୍ଷରୁ ତତ୍କାଳ ପଦକ୍ଷେପ ନିଆଯାଇଛି।

ଆସିକା ଏସଡିପିଓ ସନ୍ତୋଷକୁମାର ଜେନା ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ସିଆଲ ଅତିରିକ୍ତ ତହସିଲଦାର ଦିଲ୍ଲୀପକୁମାର ଜେନା ପାଟପୁର ଥାନା ଏସଆଇ ଶ୍ରୀନିବାସ ଦାସ ରମାକାନ୍ତ ଶବର ସନ୍ତୋଷକୁମାର ମିଶ୍ର ପ୍ରମୁଖ ଏକ ପ୍ଲାଟୁନ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ପରିସ୍ଥିତି ଆୟତ୍ତ କରିଛନ୍ତି।ତେବେ ଏହି ବିବାଦୀୟ ଜମିରେ ବିଏନଏସ ୧୬୩ ଧାରା ଲାଗୁ କରାଯିବ ବୋଲି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା ପ୍ରକାଶ କରିଛନ୍ତି।

