ବ୍ରହ୍ମପୁର,୨୬/୦୬ -:- ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଏମଏସଏମଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜୁନ ୨୫, ୨୦୨୬ ରେ ଏକ ଏମଏସଏମଇ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ସଚେତନତା ଶିବିରର ଉଦ୍ଦେଶ୍ୟ ଏମଏସଇ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବା, ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବ୍ୟାଙ୍କରୁ ଋଣ ପାଇବାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରିବା ଥିଲା । ଏହି ଶିବିର ରେ ଭୁବନେଶ୍ୱର ଆରବିଆଇର ମହାପ୍ରବନ୍ଧକ ଅନୀତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏସଏଲବିସିର ଜିଏମ୍ ତଥା ଆବାହକ ପ୍ରଣବ କୁମାର ବିଶ୍ୱାସ, ୟୁନିଅନ ବ୍ୟାଙ୍କର ଜିଏମ୍ ସଞ୍ଜୀବ ରଞ୍ଜନ ସହାୟ, ଏସବିଆଇର ଡିଜିଏମ୍ ଆଲୋକ କୁମାର ସିହ୍ନା, ନାବାର୍ଡର ଡିଜିଏମ୍ ସଞ୍ଜୀବ କୁମାର ମିଶ୍ର, ସିଡ଼ବିର ଡିଜିଏମ୍ ପ୍ରଦ୍ୟୁମ୍ନ କୁମାର ଚୌଧୁରୀ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଏମ୍ଏସଏମ୍ଇ କ୍ରେଡିଟ ହେଡ ସୌମିକ ଘଣ୍ଟ ଏବଂ ଗଞ୍ଜାମ ଜିଲ୍ଲା ଜିଏମ୍, ଡିଆଇସି,ବସନ୍ତ କୁମାର ସେଠୀ,ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ବିଭିନ୍ନ ବକ୍ତାମାନେ ଏମଏସଏମଇ କ୍ଷେତ୍ରର ଆହ୍ୱାନ ଏବଂ ଦେଶରେ ଏକ ସମୃଦ୍ଧ ଏମଏସଏମଇ ବ୍ୟବସ୍ଥା ଗଠନ ପାଇଁ ଆରବିଆଇ ଓ ସରକାରଙ୍କ ଦ୍ୱାରା ନିଆଯାଇଥିବା ନୀତି ଏବଂ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏମଏସଏମଇ ଉଦ୍ୟୋଗୀମାନେ ବ୍ୟାଙ୍କ ଋଣ,ମାର୍କେଟିଂ ଏବଂ ଭିତ୍ତିଭୂମି ଇତ୍ୟାଦି ସମ୍ବନ୍ଧୀୟ ସେମାନଙ୍କର ସମସ୍ୟା ଓ ଅସୁବିଧା ଗୁଡ଼ିକୁ ଉପସ୍ଥାପନ କରିଥିଲେ। ଏହିଭଳି କାର୍ଯ୍ୟକ୍ରମଗୁଡ଼ିକ ନୀତି ପ୍ରଣୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିବା ସହ ଏମଏସଏମଇ ୟୁନିଟଗୁଡ଼ିକର କ୍ଷେତ୍ରସ୍ତରୀୟ ସମସ୍ୟାର ଶୀଘ୍ର ସମାଧାନ କରିବାରେ ସହାୟକ ହୋଇଥାଏ। ଶେଷରେ ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ ସହ ଶିବିରଟି ସମାପ୍ତ ହୋଇଥିଲା।
