ବାଲୁଗାଁ- ତା ୦୭/୧୧/୨୦୨୫- ବାଲୁଗାଁ ମହାବିଦ୍ୟାଳୟରେ ଆଜି ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ଓ ଗଠନବାଦ ଆଧାରିତ ଶିକ୍ଷାର ପୁନଃ ପରିକଳ୍ପନା ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭାରତର ରାଷ୍ଟ୍ରୀୟ ଗୀତିକା ବନ୍ଦେ ମାତରମ ଗାନ କରିବା ପରେ ପ୍ରଜ୍ଞା ଓ ଜସ୍ମିନ ଅତିଥିମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କାରିଥିଲେ l

ଅଧ୍ୟାପିକା ସ୍ବାତୀ ସ୍ଵାଗତିକା ସାହୁ ଅତିଥି ପରିଚୟ ପ୍ରଦାନ କରିବା ପରେ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ ସହ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ I କୋରାପୁଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନ ଜାତୀୟ ଶିକ୍ଷା ନୀତିରେ କିପରି ଶ୍ରେଣୀଗୃହ ଭିତରେ ସୀମାବଦ୍ଧ ନ ହୋଇ ଶିକ୍ଷାର୍ଥୀମାନେ ମୁକ୍ତ ବାତାବରଣରେ ଦକ୍ଷତା ବିକାଶ,ସର୍ଜନଶୀଳତା, ସାମାଜିକତା, ପ୍ରତ୍ୟୟଗତ ସ୍ପଷ୍ଟତା, ପ୍ରଶ୍ନୋତ୍ତର ,ଦଳଗତ ଆଲୋଚନା ଆଦି ମାଧ୍ୟମରେ ସମାଜାଭିମୁଖୀ ହୋଇପାରିବେ ତାହା ଉପସ୍ଥାପନା କରିଥିଲେ l

ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ମିଶ୍ର ପାରମ୍ପରିକ ଶିକ୍ଷଣ ପ୍ରକ୍ରିୟା ଓ ସଂଗଠନବାଦ ଶିକ୍ଷଣ ପ୍ରକ୍ରିୟାର ପାର୍ଥକ୍ୟ ପ୍ରଦାନ କରି ଅନୁଭୂତିଶୀଳ ଜ୍ଞାନ କିପରି ଅଧିକ ଗ୍ରହଣ ଯୋଗ୍ୟ ଓ ଉପଯୋଗୀ ହୋଇପାରୁଛି ତାହା ଆଲୋଚନା କରିବା ସହ ମୂଲ୍ୟବୋଧ ଗଠନରେ ତାହାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l

ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଯୋଗଦେଇ ଜାତୀୟ ଶିକ୍ଷାନୀତିରେ ଜ୍ଞାନରଚନାବାଦ ଦୃଷ୍ଟିକୋଣ, ଧାରଣାଗତ ସ୍ପଷ୍ଟତା ଓ ବୁଝାମଣା,ସହଯୋଗୀ ଶିକ୍ଷା,ଶିକ୍ଷାର୍ଥୀ କେନ୍ଦ୍ରିକ ଶିକ୍ଷା ଓ ସମସ୍ୟା ସମାଧାନ ମାଧ୍ୟମରେ କିପରି ଶିକ୍ଷାର ପୁନଃକଳ୍ପନା କରାଯାଇ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି,ଆଲୋଚନା କରିଥିଲେ l ଏଥିରେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗଦେଇ ନୂତନ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରାର ଉତ୍କର୍ଷତା ପ୍ରତିପାଦିତ କରିଥିଲେ l ଏହାପରେ ଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷ ଆମନ୍ତ୍ରିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପ୍ରୀତି ସ୍ମାରକୀ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମକୁ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିଥିବା ବେଳେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଆଲୋଚନା ଚକ୍ରର ଦ୍ୱିତୀୟ ଅଧିବେଶନରେ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ l

ଏଥିରେ ଅଧ୍ୟାପିକା ଶୁଭ୍ରାଜ୍ୟୋତ୍ସ୍ନା ବିଶ୍ୱାଳ,ଅଧ୍ୟାପକ ସୁରେନ୍ଦ୍ରନାଥ ସ୍ୱାଇଁ, ରାଜକିଶୋର ବୈରୀ ଗଞ୍ଜନ,ପ୍ରଭାତ ନାୟକ, ଛାତ୍ରୀ ସ୍ମୃତିଶିଖା ନାୟକ,ଧରିତ୍ରୀ ବିଷୋୟୀ, ଗାୟତ୍ରୀ ମହାରଣା,ଶୀତଳ ପଲାଇ, ଶୁଭସ୍ମିତା ମହାରଣା ପ୍ରମୁଖ ପ୍ରସଙ୍ଗ ଭିତ୍ତିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସୁଶ୍ରୀ ପ୍ରିୟମ୍ବଦା ମହାପାତ୍ର l
