You are currently viewing ସ୍କୁଲ୍ ଗଲା ରାସ୍ତାରେ ଟଳିପଡ଼ିଲେ ଛାତ୍ର।
ସ୍କୁଲ୍ ଗଲା ରାସ୍ତାରେ ଟଳିପଡ଼ିଲେ ଛାତ୍ର।

ଦିଗପହଣ୍ଡି ୧୩/୧୨:(ଶିବ ପ୍ରସାଦ ରଥ)

ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମରେ ଘଟିଛି ଏପରି ଦୁଃଖଦ ଘଟଣା। ଯାହାକି ପିଲାଟି ନିମଖଣ୍ଡିପେଣ୍ଠ ଗ୍ରାମର ରାଧାମୋହନ ନୋଡାଲ ବିଦ୍ୟାପୀଠକୁ ଯାଉଥିବା ବେଳେ ମଝି ରାସ୍ତାରେ ତଳେ ପଡ଼ି ଅଚେତ୍ ହୋଇ ଗୁରୁତର ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ଓ ଗ୍ରାମବାସୀ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଡ଼ାକ୍ତରଖାନା ଆଣିଥିଲେ। କିନ୍ତୁ ଉପସ୍ଥିତ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ମୃତ ୭ମ ଶ୍ରେଣୀ ଛାତ୍ର ଜଣକ ହେଲେ ଆକାଶ କୁମାର ଗୌଡ଼(୧୨)। ତାଙ୍କୁ ପୂର୍ବରୁ ଜ୍ଵର ହୋଇଥିଲା। ଆଜି ସାମାନ୍ୟ ସୁସ୍ଥ ଅନୁଭବ କରିବା ଯୋଗୁଁ ସେ ଘରେ ଖାଇବା ଖାଇଥିଲେ। ଏହାପରେ ସେ ବହି ବସ୍ତାନି ଧରି ଖୁସି ମନରେ ସ୍କୁଲ ଯିବାକୁ ବାହାରି ପଡ଼ିଥିଲେ। ସ୍କୁଲ୍ ଅଭିମୁଖେ ଯାଉଥିବା ବେଳେ ଛାତ୍ର ଜଣକ ମଝି ରାସ୍ତାରେ ଟଳି ପଡ଼ିଥିଲେ। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରଙ୍କ ପରିବାର ଲୋକେ ଅଭାବୀ କାରଣରୁ ବ୍ୟବଚ୍ଛେଦ ସକାଶେ ଘରୋଇ ଆମ୍ବୁଲାନ୍ସ ଭଡ଼ା ଦେବାକୁ ଅସମର୍ଥ ଭାବିଥିଲେ। ଏଥି ଯୋଗୁଁ ମୃତ ଆକାଶଙ୍କ ମର ଶରୀରକୁ ଗାଁକୁ ନେଇଯାଇଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର ସମ୍ପନ୍ନ କରାଯାଇଥିଲା। ସୂଚନା ପ୍ରକାରେ ମୃତ ଆକାଶ ବାପା ମାଆଙ୍କ ଏକମାତ୍ର ପୁଅ ଥିଲେ। ତାଙ୍କ ବାପା ସିମାଞ୍ଚଳ ଗୌଡ଼ ଜଣେ ଦିନ ମଜୁରୀଆ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ଗୋଟିଏ ଝିଅ ଓ ପୁଅ ଥିଲେ। ଏହି ଚାରି ପ୍ରାଣୀ କୁଟୁମ୍ବ ବେଶ୍ ହସ ଖୁସିରେ ରହୁଥିଲେ। ହେଲେ ଦଇବ କାଳ ସାଝିଲା। ନିଷ୍ଠୁର ଭାବେ ୧୨ବର୍ଷର ପୁଅକୁ ଅବେଳରେ ନେଇଗଲା । ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ବୃଦ୍ଧ ବୟସରେ ସାହାରା ସାଝିବ ଭାବୁଥିବା ଏକମାତ୍ର ଅନ୍ଧର ଲହୁଡ଼ି ଆଜି ଅଫେରା ରାଇଜକୁ ଚାଲିଯାଇଛି। ଗାଁ ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି। ଏହି ନିମଖଣ୍ଡିପେଣ୍ଠ ଅଞ୍ଚଳରେ ଲୋକମାନେ ଉଚିତ୍ ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି। ଏପରିକି କାହାକୁ ରୋଗ ହେଲେ ଏବେ ବି ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରିଥାନ୍ତି। ନଚେତ୍ ଗାଁରେ ରହିଥିବା ଔଷଧ ଦୋକାନୀଙ୍କ ଠାରୁ ଚିକିତ୍ସା ହୋଇଥାନ୍ତି। ଔଷଧ ବିକ୍ରି କରୁଥିବା ପିଲା କେତେ ତାଲିମ୍ ପ୍ରାପ୍ତ ତାହା ବି ସନ୍ଧେହ ଘେରରେ ରହିଛି।ସେ ଜ୍ଵର ପାଇଁ କଣ ସବୁ ଔଷଧ ଇଞ୍ଜେକସନ ନେଇଛନ୍ତି। କିଏ ତାଙ୍କର ଚିକିତ୍ସା କରୁଥିଲେ। ସେ କଣ ତାଲିମ୍ ପ୍ରାପ୍ତ ଚିକିତ୍ସକ କି? ଏସବୁ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଏସବୁ ପୁଲିସ୍ ତଦନ୍ତ ପରିସରଭୁକ୍ତ କଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଲୋକେ ଆଶା ରଖିଛନ୍ତି।