You are currently viewing କତାର୍ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଗାଁ କୁ ମରଶରୀର ଆଣିବାକୁ ସରକାରଙ୍କୁ ନିବେଦନ।
କତାର୍ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଗାଁ କୁ ମରଶରୀର ଆଣିବାକୁ ସରକାରଙ୍କୁ ନିବେଦନ।

କୋଦଳା
କାମଧନ୍ଦା ନ ପାଇ ବାହାର ଦେଶକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘରର ଏକମାତ୍ର ରୋଜଗାରିଆ ପୁତ୍ରକୁ ହରାଇ ପରିବାର ହତବାକ୍ ହୋଇ ଯାଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବାର। ସରକାର ଦାଦନ ମୁକ୍ତ ନାରା ଦେଉଥିବା ବେଳେ ଗାଁ ତଥା ପାଖ ଅଞ୍ଚଳରେ କୌଣସି କାମଧନ୍ଦା ନ ପାଇ ବାଧ୍ୟ ହୋଇ ବାହାର ଦେଶକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ରେ ଏବେ ଶୋକର ଛାୟା ଖେଳିଯାଇଛି।
ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ। ଗ୍ରାମର ଜୟ ଖୁଣ୍ଟିଆଙ୍କ ୨୫ ବର୍ଷର ପୁଅ କୁନା ଖୁଣ୍ଟିଆ ଗତ ୪ ମାସ ପୂର୍ବେ କତାର ଯାଇଥିଲେ। ଶ୍ରମିକ ଭାବେ ସେଠାରେ କାମ କରୁଥିବା ବେଳେ ହଠାତ୍ ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଘରେ ପହଞ୍ଚିଥିଲା। ଝିଅ ବାହାଘର କରି ରୁଣଗ୍ରସ୍ତ ହୋଇ ପଡିଥିବା ବାପା ଏବେ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣି ହତବାକ୍ ହୋଇ ଯାଇଛି। ସେପଟେ ମା ଓ ଭଉଣୀମାନଙ୍କ ଆଖିରୁ ଲୁହ ଶୁଖୁନି। ପରିବାରରେ କାନ୍ଦ ବୋବାଳି ଲାଗି ରହିଛି। ସେପଟେ ଗରିବ ଅସହାୟ ପରିବାର ହୋଇଥିବାରୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି ମୃତ ଯୁବକଙ୍କ ବାପା ଓ ଗ୍ରାମବାସୀ। ମରଶରୀରକୁ ଗାଁ କୁ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ।