ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ନୋଡାଲ୍ ଉଚ୍ଚ ବିଦ୍ୟାଳୟ ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଶୁକ୍ରବାର ଓ ଶନିବାର ୨ ଦିନ ଧରି ଏହି ଉତ୍ସବ ପାଳନ କରାଯିବାକୁ ସ୍ଥିର କରାଯାଇଛି। ଶୁକ୍ରବାର ଏହାର ଉଦଘାଟନୀ ଉତ୍ସବ ହୋଇଥିବା ବେଳେ ମୁଖ୍ଯ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଖଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଯୋଗଦେଇ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବିଦ୍ୟାଳୟ ହେଉଛି ବାସ୍ତବ ଦେବାଦେବୀଙ୍କ ମନ୍ଦିର, ଏଣୁ ଏହାର ଉନ୍ନତି ପାଇଁ ସାମୁହିକ ଭାବରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ ଭିମରାଜୁ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଗୁନିଆପଡ଼ା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉସ୍ଛାହିତ କରିଥିଲେ ।ତେବେ ଉକ୍ତ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀକୁ ନେଇ ଆତ୍ମ ସନ୍ତୋଷ ପ୍ରକାଶ କରି ନଥିଲେ ବିଧାୟିକା। ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପରି ଲାଗୁ ନଥିବା ସେ ନିଜ ବକ୍ତବ୍ୟରେ କହିଥିଲେ। ୨ ଦିନ ଧରି ଏହି ଉତ୍ସବ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏହି ଅବସରରେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କ ଲେଖାକୁ ନେଇ ଏକ ପୁସ୍ତକ ପ୍ରେରଣା ଉନ୍ମୋଚିତ ହୋଇଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
