ଅଲ୍ ଓଡିଶା ପେଣ୍ଟିଂ ଆରଟିଷ୍ଟ ୱାର୍କର୍ ଆସୋସିଏସନ ସହବନ୍ଧିତ ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ଚିତ୍ରକର ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ଗୁରୁବାର ଦିନ ଦିଗପହଣ୍ଡି ବିଡ଼ିଓ ଚିତ୍ତରଞ୍ଜନ ଦାସଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦିଗପହଣ୍ଡି ଅଞ୍ଚଳରେ ବହୁ ସଂଖ୍ୟକ କଳାକାର ପାରମ୍ପରିକ ଭାବେ ସାଇନ୍ ବୋର୍ଡ , କପଡ଼ା ବ୍ୟାନର , କିଛି କିଛି ସରକାରୀ ଓ ଘରୋଇ ସଂସ୍ଥାର ବିଜ୍ଞାପନ କାନ୍ଥରେ ଲେଖିବା , ଚିତ୍ର ମାଧ୍ୟମରେ ସହର ଓ ଗ୍ରାମାଞ୍ଚଳର କାନ୍ଥ ବାଡ଼ ଗୁଡ଼ିକୁ ସୌନ୍ଦର୍ଯ୍ୟକରଣ କରିବା ଆଦି କାର୍ଯ୍ୟ କରି ନିଜେ ବଞ୍ଚିବା ସହ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଗତ କିଛି ବର୍ଷ ହେଲା ସେମାନଙ୍କୁ କାମ ମିଳୁନାହିଁ । ଫଳରେ ଅନେକ ଚିତ୍ରକର ନିଜର ବୃତ୍ତି ଠାରୁ ଦୂରେଇ ଯାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ସେଠାରେ ସେମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତିତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି । ସହର ଓ ଗ୍ରାମାଞ୍ଚଳର ସମସ୍ତ ରଙ୍ଗ ତୂଳୀ ଚିତ୍ରକର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଭାବେ ପରିଚୟପତ୍ର ପ୍ରଦାନ କରିବା । ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଏବଂ ବର୍ଷସାରା ବର୍ଗଫୁଟ ହିସାବରେ କାମ ଯୋଗାଇ ଦେବା ସହ ସଠିକ ମଜୁରୀ ପ୍ରଦାନ କରିବା।ରଙ୍ଗ ତୂଳୀ କଳାକାର ବୋର୍ଡ ଗଠନ କରାଯିବା । ଲାଭ ଖୋର ଠିକାଦାର ବଦଳରେ ସମସ୍ତ ସରକାରୀ କାର୍ଯ୍ୟ ଗୁଡ଼ିକୁ ସ୍ଥାନୀୟ ପେଣ୍ଟର ରଙ୍ଗ ତୂଳୀ କଳାକାର ମାନଙ୍କୁ କାମ ଯୋଗାଇ ଦେବା । ପ୍ରତି ଜିଲାରେ ରଙ୍ଗ ତୂଳୀ କଳାକାର ଙ୍କ ପାଇଁ ଗୋଷ୍ଠୀ କର୍ମଶାଳା ଗୃହ ନିର୍ମାଣ କରାଯିବା ପ୍ରଭୃତି ଦାବି ଗୁଡ଼ିକ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି । ସ୍ମାରକପତ୍ର ପ୍ରଦାନ ସମୟରେ ଚିତ୍ରକର ସଙ୍ଘର କାର୍ଯ୍ୟକର୍ତ୍ତା ରାମାନୁଜ ପଟ୍ଟନାୟକ, କୁରେଶୁ ପଣ୍ଡା ,ଗିରିଶ କବି ,ଏସ.ନିରଞ୍ଜନ ଆଚାରୀ ,ସୁଧାଂଶୁ ପଟ୍ଟନାୟକ , ସୁଶୀଳ କୁମାର ନାୟକ, ପ୍ରଭାତ ପାଢ଼ୀ ସମେତ ବହୁ ସଂଘ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ରିପୋର୍ଟ: କିରଣ କୁମାର ବେହେରା
