ବୁଗୁଡ଼ା ୧୮/୦୩(ଡ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡ଼ା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି । ଏହି ଅନୁପାତରେ ଯାନବାହାନ ମଧ୍ୟ ବୃଦ୍ଧି ପାଇଛି । ବହୁ ସମୟରେ ବେପରୁଆ ଗାଡ଼ି ଚାଳନା ପାଇଁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି । ସରକାର ୧୮ ବର୍ଷରୁ କମ ବୟସ ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ମନା କରିଥିବା ବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୁଲିଗଲେଣି । ବୁଗୁଡ଼ା ସହରରେ କଲେଜ ପିଲାଙ୍କଠୁ ଆରମ୍ଭ କରି ସ୍କୁଲ ପିଲା ଯାଏଁ ବିନା ଲାଇସେନ୍ସରେ ଗାଡ଼ି ଚଲାଉଥିବା ସହ ହେଲମେଟ ନପିନ୍ଧି ଗାଡ଼ି ଚଲାଉଥିବା ବେଳେ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ କିମ୍ବା କଲେଜକୁ ଗାଡ଼ି ଚଲାଇ ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ନଜାଣିଲା ଭଳି ରହୁଛନ୍ତି । ସହରରେ କଲେଜ ଛାତ୍ରମାନେ ବହୁ ସମୟରେ ଦ୍ରୁତ ଗତିରେ ଯିବା ସହ ବେପରୁଆ ଗାଡ଼ି ଚାଳନା କରୁଥିବା ଦେଖିବାକୁ ମିଳୁଛି । ପୋଲିସ ପ୍ରଶାସନ ପକ୍ଷରୁ ଗାଡ଼ି ଚେକିଂ ସହ ଜରିମାନା ଆଦାୟ ଭଳି କାର୍ଯ୍ୟାନୁଷ୍ଠାନ ଆଉ ଦେଖିବାକୁ ମିଳୁନାହିଁ । ସହର ଭିତରେ ନିୟମ ଉଲ୍ଲଙ୍ଘନ କରି କିଛି ଯୁବକ ଓ ଛାତ୍ର ଦ୍ରୁତଗତିରେ ବାଇକ ଚଲାଉଥିବା ବେଳେ ଲୋକେ ଭୟଭୀତ ହୋଇ ପଡୁଛନ୍ତି । ଘରୁ ରାସ୍ତାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ବେପରୁଆ ଗାଡ଼ିଚାଳକଙ୍କ ଠାରୁ ସୁରକ୍ଷା ଚିନ୍ତା ଘାରୁଛି । ଏହି ପିଲାମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ସହର ଭିତରେ ବିନା ହେଲମେଟରେ ଗାଡ଼ି ଚଳାଇବା, ଭୁଲ ରାସ୍ତାରେ ଗାଡ଼ି ଚଳାଇବା, ଦୁଇରୁ ଅଧିକ ଜଣ ବାଇକରେ ବସି ଯିବା ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ଗତବର୍ଷ ଜନୈକ ସ୍କୁଲ ଛାତ୍ର ବାଇକ ଚଲାଉଥିବା ବେଳେ ଗୋଲିଆ ବ୍ରିଜ ନିକଟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ତିନି ବର୍ଷ ତଳେ ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଅସାବଧାନତା ହେତୁ ଖୋଳଖାଲି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହିଭଳି ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ବିଭିନ୍ନ ସମୟରେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।
ଏଥି ସହ କଲେଜକୁ ବାଇକ ନେଇ ଆସୁଥିବା ଛାତ୍ରଙ୍କ ଲାଇସେନ୍ସ ନଥୁଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉନାହିଁ । ଅନ୍ୟପକ୍ଷରେ କେକେ ଅସଚେତନ ଅଭିଭାବକ ନିଜର ଆଭିଜାତ୍ୟ ପ୍ରଦର୍ଶନ କରିବା କିମ୍ବା ଅମାନିଆ ସନ୍ତାନଙ୍କୁ ନିଜ ଆୟତ୍ତରେ ରଖିବାରେ ଅସମର୍ଥ ହେତୁ ପିଲାଙ୍କ ହାତରେ ବାଇକ ଧରାଇ ଦେଉଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସମ୍ପ୍ରତି ଦ୍ରୁତଗତିରେ ବାଇକ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ ବିଭାଗ ଏବଂ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
