ପୁରୀ,୭/୫ -ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଗୁରୁବାର ୩୭ ଦିନରେ ପଦାର୍ପଣ କରିଛି | ଏହା ଏକ ଅଦ୍ଭୁତ ଭାବନାର ସ୍ରୋତରେ ପରିଣତ ହୋଇଛି। ଏହା କେବଳ ପଦଯାତ୍ରା ନୁହେଁ, ବରଂ ଏହା ପୁରୀ ସହର ଓ ସଦରବାସୀଙ୍କ ହୃଦୟର ଅନୁଭୂତି, ନିରବ ବେଦନା ଓ ଅତ୍ୟୁଟ ଆସ୍ଥାର ଏକ ସଂଗଠିତ ଉଚ୍ଚାରଣ। ବଳଗଣ୍ଡି ଭକ୍ତ ସାଲବେଗ ପୀଠରୁ ଗତ ଅପ୍ରେଲ ୧ ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତ୍ୟହ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଯାଇ ପହଞ୍ଚିବା ବେଳେ ମନେ ହେଉଛି | ପ୍ରତ୍ୟେକ ପଦକ୍ଷେପ ମାଟିକୁ ନୁହେଁ, ଭଗବାନଙ୍କ ପାଦପଦ୍ମକୁ ସ୍ପର୍ଶ କରୁଛି। “ଜୟ ଜଗନ୍ନାଥ” ଧ୍ୱନିରେ ଗୁଞ୍ଜି ଉଠୁଥିବା ପଥରେ ଭକ୍ତିର ତୀବ୍ରତା ସହିତ ମିଶିଥିଲା ଅଧିକାର ହରାଇବାର ଅନୁଭୂତ ବେଦନା. | ଏକ ଏମିତି ମିଶ୍ରଣ, ଯାହା ହୃଦୟକୁ ଛୁଇଁଯାଏ। ଏହି ପଦଯାତ୍ରା ଆଜି ପୁରୀ ସହର ଓ ସଦରବାସୀଙ୍କ ଆତ୍ମାର ସ୍ୱର ହୋଇଉଠିଛି। ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ଭକ୍ତି ଏବଂ ସ୍ୱାଭାବିକ ଦର୍ଶନ ଅଧିକାର ପ୍ରତି ଗଭୀର ଆକାଂକ୍ଷା ଏହାକୁ ଏକ ସାମୁହିକ ସଂକଳ୍ପରେ ପରିଣତ କରିଛି। ଏଠାରେ ଭକ୍ତି କେବଳ ଭାବନା ନୁହେଁଏହା ନ୍ୟାୟ ପାଇଁ ଏକ ଶାନ୍ତ କିନ୍ତୁ ଅଦମ୍ୟ ଆନ୍ଦୋଳନ।
ନାରୀ-ପୁରୁଷ, ଯୁବକ-ବୃଦ୍ଧ ସମସ୍ତଙ୍କର ଏକତ୍ର ଅଂଶଗ୍ରହଣ ଏହି ଯାତ୍ରାକୁ ଦେଇଛି ଜୀବନ। ପ୍ରତ୍ୟେକ ମୁହଁରେ ଭକ୍ତିର ଆଲୋକ, ପ୍ରତ୍ୟେକ ହୃଦୟରେ ଏକ ଅଦୃଶ୍ୟ ପ୍ରାର୍ଥନା—“ପ୍ରଭୁ, ଆମକୁ ଆମ ଅଧିକାର ଫେରେଇ ଦିଅ।” ୩୭ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ ଶିଥିଳ ହୋଇନାହିଁ; ବରଂ ପ୍ରତ୍ୟେକ ଦିନ ସହିତ ଏହା ଆହୁରି ଗଭୀର ହେଉଛି। ଏହା ଏକ ଏମିତି ଯାତ୍ରା, ଯେଉଁଥିରେ ଆସ୍ଥା ଅଶ୍ରୁରେ ଭିଜେ, ବେଦନା ସଂକଳ୍ପରେ ପରିଣତ ହୁଏ ଏବଂ ଅଧିକାର ପାଇଁ ମନୁଷ୍ୟ ନିଜେ ଦୃଢ଼ ହୋଇଉଠେ। ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର,ଚକ୍ରଧର ମହାପାତ୍ର,ସରସ୍ୱତୀ ପାତ୍ର, ଶୁକାନ୍ତ ପଣ୍ଡା,ଅରୁଣା ପଟ୍ଟନାୟକ,ମୀନାକ୍ଷୀ ଦାସ,ବିଶ୍ୱନାଥ ମିଶ୍ର,ନୃସିଂହନାଥ ନାୟକ, ଶିଶିରକାନ୍ତ ଶତପଥୀ,ମନୋରଞ୍ଜନ ରଣସିଂହ,କିଶୋର ଦାସ, ସନ୍ଧ୍ୟାରାଣୀ ମିଶ୍ର,ଜଗନ୍ନାଥ ମହାନ୍ତି, ପ୍ରଣତି ରାୟ, ସୂର୍ଯ୍ୟ ନାରାୟଣ ରଥ,ଯାଦବା ବନ୍ଦ ରାୟ, ସନ୍ତୋଷ ସେନାପତି,ରାମକୃଷ୍ଣ ମହାନ୍ତି, ପଙ୍କଜିନୀ ପ୍ରଧାନ, ପ୍ରାନ୍ତସେନି ଜେନା, ରମେଶ ଚନ୍ଦ୍ର ନାୟକ,ମନୋଜ ସାମଲ, ଶୁଭଶ୍ରୀ ମହାରଣା, ଲିନା ଦାସ, ବିପାଶା ସିଂ, ବର୍ଷା ସାହୁ, ବୈଶାଳୀ ପ୍ରଧାନ, ସଞ୍ଜୟ ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ,ଅଭିମନ୍ୟୁ ପ୍ରଧାନ, ଇଚ୍ଛା ଦାସ, ରାଜା ମହାନ୍ତି, ଭାରତୀ ମେହେର,ସୁରେନ୍ଦ୍ରନାଥ ରାଉତରାୟ, ଶାଲିନୀ ପ୍ରଧାନ, ଓ ଲିଙ୍ଗରାଜ ସାହୁ,ପ୍ରମୁଖ ସାମିଲ ଥିଲେ ତଥା ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା।
ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ କୁମାର ପଣ୍ଡା କରିଥିଲେ। ସେ କହିଥିଲେ ଯେ, ଏହି ଯାତ୍ରା ଥମିବ ନାହିଁ, ଯେଉଁ ପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିରରେ ଦର୍ଶନ ଅଧିକାର ପୁନଃସ୍ଥାପିତ ନହୋଇଛି। ଏହା କେବଳ ଏକ ଦାବି ନୁହେଁ—ଏହା ଆମ ଆସ୍ଥାର ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଅବିରତ ପ୍ରାର୍ଥନା ଓ ସଂକଳ୍ପ।
