ପୁରୀ, : ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପ୍ରାକୃତିକ ଓ ମାନବକୃତ ବିପଦକୁ ସଫଳତାର ସହ ସାମ୍ନା କରିବା ପାଇଁ ସଚେତନତା, ପ୍ରସ୍ତୁତି ଓ ସମନ୍ୱିତ ପରିଚାଳନାର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟକୁ ନେଇ ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କ ପକ୍ଷରୁ ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ଚାଲିଥିବା ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଓ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶେଷ “ବିପର୍ଯ୍ୟୟ ପରିଚାଳନା ଓ ଯୁବଶକ୍ତିର ଭୂମିକା” ଶୀର୍ଷକ ମାନସ ମନ୍ଥନ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ ତ୍ୟାଗ, ସାହସ ଓ ସଂଘର୍ଷର ଭୂମି ଓଡ଼ିଶା ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସାମ୍ନା କରିଆସିଛି। ମହାମେଘବାହନ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ଆଧୁନିକ କାଳର ଆନ୍ତର୍ଜାତିକ ସମ୍ମିଳନୀ ପର୍ଯ୍ୟନ୍ତ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବିଶ୍ୱସ୍ତରରେ ଆଲୋଚନାର ବିଷୟ ହୋଇଛି।

ବିଶେଷ କରି ୧୯୯୯ ମସିହାର ମହାବାତ୍ୟା ରାଜ୍ୟ ପାଇଁ ଏକ କଠିନ ଶିକ୍ଷା ଥିଲା। ସେହି ଦୁଃଖଦ ଅନୁଭୂତିରୁ ଶିକ୍ଷା ନେଇ ଓଡ଼ିଶା ସରକାର, ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀମାନଙ୍କ ସମନ୍ୱିତ ପ୍ରୟାସ ଫଳରେ ଫାଇଲିନ, ହୁଡ୍ହୁଡ୍, ଫନୀ ଓ ୟାସ୍ ଭଳି ଭୟଙ୍କର ବାତ୍ୟାକୁ ସଫଳତାର ସହ ମୁକାବିଲା କରାଯାଇପାରିଛି। ଏହା କୌଣସି ଆକସ୍ମିକ ସଫଳତା ନୁହେଁ; ବରଂ ଦୀର୍ଘଦିନର ପ୍ରସ୍ତୁତି, ପ୍ରତିଷେଧକ ବ୍ୟବସ୍ଥା, ପରିଶ୍ରମ ଓ ସଠିକ୍ ପରିଚାଳନାର ଫଳ ବୋଲି ବକ୍ତାମାନେ ମତ ରଖିଥିଲେ।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ସମୟରେ ନେତୃତ୍ୱ ନେବା ଓ ସେବା ମନୋଭାବ ଗଢ଼ି ତୋଳିବା ପାଇଁ NSS, NCC, ରେଡକ୍ରସ୍ ଓ ପୁରୀ ସେବା ସମିତି ଭଳି ସଂଗଠନ ସହ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ନିୟମିତ ମକ୍ ଡ୍ରିଲ୍ ଓ ପ୍ରଶିକ୍ଷଣ ଦ୍ୱାରା ଭୟକୁ ଦୂର କରାଯାଇପାରେ ଏବଂ ଜଣେ ସାଧାରଣ ଛାତ୍ର ମଧ୍ୟ ସଙ୍କଟ ସମୟରେ ଜଣେ ସଫଳ ସ୍ୱେଚ୍ଛାସେବକ ଓ ନେତାରେ ପରିଣତ ହୋଇପାରିବେ।

ପରିବେଶବିତ୍ ଜଗନ୍ନାଥ ବସ୍ତିଆ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ପ୍ରବାହର ଉଦାହରଣ ଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପରିବେଶ ଅନୁକୂଳ ଜୀବନଶୈଳୀ ଗ୍ରହଣ କରିବା ଦ୍ୱାରା ବିପର୍ଯ୍ୟୟର ପ୍ରଭାବକୁ ଅନେକାଂଶରେ କମାଇ ହେବ। ସେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଦାୟିତ୍ୱବାନ ଓ ସଚେତନ ନାଗରିକ ହେବା ପାଇଁ ଆହ୍ୱାନ କରିଥିଲେ।
ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ୧୯୯୯ ମସିହାର ମହାବାତ୍ୟା ସମୟରେ ତାଙ୍କର ବାସ୍ତବ ଅନୁଭୂତି ଓ ଉଦ୍ଧାର କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ ବିପଦ ସମୟରେ ଧୈର୍ଯ୍ୟ, ସାହସ ଓ ସମନ୍ୱୟ ହିଁ ସବୁଠାରୁ ବଡ଼ ଶକ୍ତି। ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ଏବଂ ବିପଦଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହେବା ହେଉଛି ଜଣେ ଭଲ ନାଗରିକର କର୍ତ୍ତବ୍ୟ ବୋଲି ସେ ମତ ରଖିଥିଲେ।
ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଯେ ଯୁବଶକ୍ତିକୁ ସମାଜ ସେବା, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ କ୍ଷେତ୍ରରେ ସଶକ୍ତ କରିବା ହେଉଛି ସମ୍ପର୍କର ପ୍ରମୁଖ ଲକ୍ଷ୍ୟ। ଇଣ୍ଟର୍ନସିପ୍ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ସେବା, ସମର୍ପଣ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରାଯାଉଛି। ସେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ସ୍ମରଣ କରାଇ କହିଥିଲେ ଯେ, “ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ”, ଏବଂ ଯୁବବର୍ଗଙ୍କୁ ନିଜ ଶକ୍ତିକୁ ସମାଜ କଲ୍ୟାଣରେ ବିନିଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସୁଜାତା ବେହେରା ଅଧ୍ୟକ୍ଷତା କରି କହିଥିଲେ ଯେ ଏପରି ପ୍ରଶିକ୍ଷଣମୂଳକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିଥାଏ। ଶେଷରେ ସେ ସମସ୍ତ ଅତିଥି, ଆୟୋଜକ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ମାନସ ମନ୍ଥନ କାର୍ଯ୍ୟକ୍ରମର ପରିଚାଳନାରେ ଶୁଭ ପ୍ରସାଦ ଶର୍ମା, ଶୁଭସ୍ମିତା ପଣ୍ଡା, ଶୁଭ୍ର ସ୍ୱରୂପ ମହାପାତ୍ର, ସ୍ପନ୍ଦନ ଅଭିଜିତ ପ୍ରିୟଦର୍ଶୀ, ପ୍ରଜ୍ଞା ପରିମିତା ପରିଛା, ଶୁଭମ ଦାସ ଓ ରାଜେଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ସ୍ୱେଚ୍ଛାସେବା ଓ ସାମାଜିକ ନେତୃତ୍ୱ ସମ୍ପର୍କରେ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଯୁବ ସମାଜକୁ ଏକ ସଚେତନ, ସେବାଭାବୀ ଓ ବିପର୍ଯ୍ୟୟ-ପ୍ରସ୍ତୁତ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

