You are currently viewing ଫରୱାର୍ଡ଼ ବ୍ଲକର ତୃତୀୟ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ସାଲିସବିହୀନ ରାଜନୀତି ହିଁ ବିକଳ୍ପ
ଫରୱାର୍ଡ଼ ବ୍ଲକର ତୃତୀୟ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ସାଲିସବିହୀନ ରାଜନୀତି ହିଁ ବିକଳ୍ପ

ଚିକିଟୀ– ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀଙ୍କ ସଭାପତିତ୍ବରେ ଚିକିଟୀ ସ୍ଥିତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ,ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ, ସାମ୍ବାଦିକ ସମରଜିତ୍ ମହାନ୍ତି,ବିଜୟ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଓ ସଂଘର୍ଷ ପ୍ରତି ଯୁବ ଛାତ୍ର ମାନେ ଅବଗତ ହେଲେ ନେତାଜୀଙ୍କ ସ୍ୱପ୍ନର ଭାରତ ଗଠନ ହୋଇ ପାରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ବକ୍ତବ୍ଯରେ କହିଥିଲେ। ସେ କହିଥିଲେ ଫରୱାର୍ଡ ବ୍ଲକ ଶ୍ରମିକ, କୃଷକ,ଯୁବ,ଛାତ୍ର ଓ ମହିଳାଙ୍କ ଅଧିକାର ପାଇଁ ଲଢେଇ କରି ଆସୁଛି। ଭାରତ ଛାଡ ଆନ୍ଦୋଳନରେ ଆଜାଦ ହିନ୍ଦ ବାହିନୀର ଲଢେଇରେ ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନେ ଅଂଶଗ୍ରହଣ କରିଥିଲେ। ଦୀବାକର ପଟ୍ଟନାୟକ ଫରୱାର୍ଡ ବ୍ଲକର ଜାତୀୟ ଉପସଭାପତି ରହିଥିବା ବେଳେ ଚିକିଟୀରୁ ଫରୱାର୍ଡ ବ୍ଲକର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦୀବାକର ପଟ୍ଟନାୟକ ସାଲିସ ବିହୀନ ରାଜନୀତି ଓ ତ୍ଯାଗ ସବୁଦିନ ପାଇଁ ମନେ ରହିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ ୨୪ ବର୍ଷର ବିଜେଡି ସରକାର ଓ ଦୁଇ ବର୍ଷ ଧରି ବିଜେପି ଶାସନରେ ଦାଦନ ଶ୍ରମିକ ସମସ୍ଯା ବଢିଛି,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଦୁର୍ନୀତି ବଢିଥିବା କହିଥିଲେ । ଶିକ୍ଷା,ସ୍ବାସ୍ଥ୍ଯ ଓ ଜଳସେଚନ ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ। ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ଫରୱାର୍ଡ ବ୍ଲକର ରାଜନୈତିକ ଆଭିମୁଖ୍ଯ ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ସାମ୍ବାଦିକ ସମରଜିତ୍ ମହାନ୍ତି କହିଥିଲେ ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବଢୁଛି କାର୍ଯ୍ଯାନୁଷ୍ଠାନ ଶୂନ ଏବଂ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫରୱାର୍ଡ ବ୍ଲକ ସଂଗଠନକୁ ଲୋକାଭିମୁଖୀ କରିବା ସହିତ ସବୁ ବର୍ଗର ଲୋକଙ୍କୁ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଚିକିଟୀ ମଦ ମୃତ୍ଯୁ, କବିସୂର୍ଯ୍ୟନଗର ହାଜତ ମୃତ୍ଯୁ,ଗାନ୍ଧୀ କଲେଜର ଛାତ୍ରୀ ଆତ୍ମହତ୍ୟା, ବେଗୁନିଆପଡା ଅଞ୍ଚଳରେ ଦୁଷ୍କର୍ମ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀରେ ନେତାଜୀଙ୍କ ରାଜନୈତିକ ସମାଜବାଦ ହିଁ ବିକଳ୍ପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଜିଲ୍ଲା ସଭାପତି ଭାବେ ବିଭୂଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,ଜିଲ୍ଲା ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,କୋଷାଧ୍ୟକ୍ଷ ମିଥୁନ ବେହେରା,ଜିଲ୍ଲା କମିଟିକୁ ବଦ୍ରିନାରାୟଣ ରଣା,ବାଉରୀବନ୍ଧୁ ପଟ୍ଟନାୟକ,ଜଗନ୍ନାଥ ପ୍ରଧାନ,ସନାତନ ମହାରଣା,ସନ୍ତୋଷ ପ୍ରଧାନ,ବିଘ୍ନେଶ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଫରୱାର୍ଡ ବ୍ଲକ ଲଢେଇ କରିବ ବୋଲି ନିଷ୍ପତ୍ତି ନିଆଗଲା। ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ଜିଲ୍ଲା ସମ୍ମିଳନୀ ସଫଳତାର ସହିତ ସମାପ୍ତ ହୋଇ ଥିବାରୁ ଧନ୍ୟବାଦ ଜଣାଇଥିଲେ।