ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀ ଙ୍କୁ ତାଙ୍କର ଦୀର୍ଘ ଓ ଗୌରବମୟ ଶିକ୍ଷାସେବା ପାଇଁ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ନୂତନ ଭାବେ ଯୋଦେଇଥିବା ଅଧ୍ୟକ୍ଷ ଶ୍ରୀ ଅଶ୍ବିନୀ କୁମାର ରଥ ସଭାପତିତ୍ୱ କରିଥିଲେ ଏବଂ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ସଭା ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଅଧ୍ୟକ୍ଷ ମହୋଦୟଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ. ଜିବାନନ୍ଦ ତ୍ରିପାଠୀ, ଡ. ଅଭୟ କେଶରୀ ପଟ୍ଟନାୟକ ଏବଂ ଅଧ୍ୟାପିକା ଡ. ନନ୍ଦିତା ଦାଶ ଯୋଗଦାନ କରିଥିଲେ।

ଅଧ୍ୟାପକ, ଅଧ୍ୟାପିକା ଏବଂ ବିଭିନ୍ନ କର୍ମଚାରି ବକ୍ତାମାନେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଅଧ୍ୟକ୍ଷ ମହୋଦୟ କେବଳ ଜଣେ ସୁପ୍ରଶାସକ ନୁହଁନ୍ତି, ସେ ଜଣେ ଦକ୍ଷ ଶିକ୍ଷାବିତ୍, ମାର୍ଗଦର୍ଶକ ଏବଂ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ମହାବିଦ୍ୟାଳୟ ଶିକ୍ଷା, ଶୃଙ୍ଖଳା, ପରୀକ୍ଷାଫଳ ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲା। ତାଙ୍କର ନେତୃତ୍ୱ, ସରଳତା ଓ ଛାତ୍ରକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀ ମହାବିଦ୍ୟାଳୟରେ ଏକ ସ୍ଥାୟୀ ଛାପ ଛାଡ଼ିଯାଇଛି। ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଆନ୍ତରିକ ସମ୍ପର୍କ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷ ମହୋଦୟ ନିଜ କାର୍ଯ୍ୟଜୀବନର ଅନୁଭୂତି ବାଣ୍ଟିବା ସହ ସହକର୍ମୀମାନଙ୍କ ସହଯୋଗ ଓ ସ୍ନେହ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ମହାବିଦ୍ୟାଳୟର ପ୍ରଗତି ଓ ଛାତ୍ରଛାତ୍ରୀଙ୍କ ସଫଳତା ହିଁ ତାଙ୍କର ସବୁଠାରୁ ବଡ଼ ପ୍ରାପ୍ତି।

କର୍ମଚାରୀ ପରିଷଦ ସମ୍ପାଦକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
