ପୁରୀ,୨୩/୭-କଠିନ ପରିଶ୍ରମ ଓ ଲକ୍ଷ୍ଯ ହାସଲ ପାଇଁ ଉଦ୍ଯମ କରି ସଫଳତା ପାଇଛନ୍ତି ପୁରୀର ପ୍ରିୟଦର୍ଶିନୀ ବେହେରା । ପିଲାଟି ଦିନରୁ ଭଲ ପାଠ ପଢୁଥିବାରୁ ସମସ୍ତେ ଆଦର କରନ୍ତି । ଗତ ୧୬ ତାରିଖ ଦିନ ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁରୀ ଜିଲ୍ଲାର ଗୌରବ ଆଣିଦେଇଛନ୍ତି । ତାଙ୍କ ବାପା ଆସିଷ୍ଟାଣ୍ଟ ଫାୟାର ଅଫିସର ଭାବେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନାରେ କାର୍ଯ୍ଯରତ । ମା ମୋନାଲିସା ବେହେରା ସୁଗୃହିଣୀ ଭାବେ ପରିଚିତ । ପ୍ରିୟଦର୍ଶିନୀ ଏସସିଏସ କଲେଜର ଯୁକ୍ତ ଦୁଇ ପରୀକ୍ଷାରେ ୯୩.୬ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପରୀକ୍ଷା ପରେ ଫିଜିକ୍ସ ୱାଲେଟ ଓ ଅନଲାଇନ କୋଚିଙ୍ଗ ନେଉଥିଲେ । ଦେଶରେ ୨୨ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ଦେଇଥିଲେ । ସେଥିମଧ୍ୟରୁ ୧୫ ହଜାର ୫୪୦ ସିରିୟଲ ମଧ୍ଯରେ ନାମ ରହିଛି । ଦଶମ ଶ୍ରେଣୀ ପରୀକ୍ଷାରେ ୯୭.୬ ପ୍ରତିଶତ ମାର୍କ ରଖି ଭାରତ ସରକାରଙ୍କ ପକ୍ଷରୁ ଷ୍ଟଡି ଟୁରରେ ଜାପାନ ର ଟୋକିଓ କୁ ଯାଇଥିଲେ । ଯାହା ତାଙ୍କ ପାଇଁ ଅନେକ ଅନୁଭୂତି ଆଣି ଦେଇଥିଲା । ଡାକ୍ତରୀ ପଢିବା ପାଇଁ ମନୋନୀତ ହେବା ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ, ବନ୍ଧୁବାନ୍ଧବ ମାନେ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତ ରେ ଡାକ୍ତର ହେଲେ ଗରିବ ରୋଗୀଙ୍କ ସେବା କରିବା ପାଇଁ ଲକ୍ଷ୍ଯ ରଖିଛନ୍ତି । ତାଙ୍କ ନିଷ୍ଠା ଚେଷ୍ଟା, ସାଧନା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହି ସଫଳତା ହାସଲ କରିଛନ୍ତି ।
