“ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର। ପତିତପାବନ ଯାତ୍ରା ସମାପ୍ତ କରି ଆଜି ମହାପ୍ରଭୁ ନୀଳକନ୍ଦରରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିଠାରୁ ପୁନର୍ବାର ନୀଳାଚଳ ଅବଢ଼ା ମହାପ୍ରସାଦ ଉପଲବ୍ଧ ହୋଇଛି। ଏହି ପବିତ୍ର ଅବସରରେ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ ଏବଂ କୌଣସି ଭକ୍ତ ଦର୍ଶନରୁ ବଞ୍ଚିତ ନହୁଅନ୍ତୁ— ଏହି ପ୍ରାର୍ଥନା ସହ ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୧୯ତମ ଦିନରେ ପହଞ୍ଚିଛି।”
ପୁରୀ (୨୮/୦୭) : ପତିତପାବନ ଯାତ୍ରା ସମାପ୍ତ ପରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳକନ୍ଦରରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ପୁନର୍ବାର ନୀଳାଚଳ ଅବଢ଼ା ମହାପ୍ରସାଦ ଉପଲବ୍ଧ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଭକ୍ତି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୧୯ତମ ଦିନରେ ପହଞ୍ଚିଛି। ଗତ ୧୧୯ ଦିନ ଧରି ଏହି ନୀରବ ସତ୍ୟାଗ୍ରହରେ ନାହିଁ କୌଣସି ସ୍ଲୋଗାନ, ନାହିଁ କୌଣସି କୋଳାହଳ, ନାହିଁ କୌଣସି ପ୍ରତିହିଂସାର ଭାଷା। କେବଳ ସତ୍ୟ, ଅହିଂସା, ନୀରବତା ଓ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତିକୁ ସାଥୀ କରି ପ୍ରତିଦିନ ପଦଯାତ୍ରା ଅବ୍ୟାହତ ରହିଛି।

ଏହା ଆଉ କେବଳ ଏକ ଦାବିର ଆନ୍ଦୋଳନ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାର ଏକ ଆଧ୍ୟାତ୍ମିକ ଜନଆନ୍ଦୋଳନରେ ପରିଣତ ହୋଇଛି।
ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ନୀଳାଚଳ ଅବଢ଼ା ମହାପ୍ରସାଦର ପୁନଃ ଆରମ୍ଭ ଜଗନ୍ନାଥ ସଂସ୍କୃତିର ସମତା, ଭ୍ରାତୃତ୍ୱ ଓ ସର୍ବଜନୀନତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି। ଏହି ପବିତ୍ର ଅବସରରେ ସତ୍ୟାଗ୍ରହୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଯେପରି ମହାପ୍ରଭୁଙ୍କ ମହାପ୍ରସାଦ ସମସ୍ତଙ୍କ ପାଇଁ ସମାନ, ସେହିପରି ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ଭାବେ ସୁନିଶ୍ଚିତ ହେବା ଉଚିତ।

ନୀରବ ସତ୍ୟାଗ୍ରହୀ ଭକ୍ତମାନେ ପ୍ରାର୍ଥନା କରି କହିଥିଲେ— “ହେ କାଳିଆ ସାଆନ୍ତ! ଆଜି ତୁମେ ନୀଳକନ୍ଦରରେ ବିରାଜମାନ ହୋଇ ସମସ୍ତଙ୍କୁ କରୁଣାର ଦୃଷ୍ଟିରେ ଦେଖୁଛ। ତୁମର ନୀଳାଚଳ ଅବଢ଼ା ମହାପ୍ରସାଦ ପରି ତୁମର କୃପା ମଧ୍ୟ ସମସ୍ତଙ୍କ ଉପରେ ସମାନ ଭାବେ ବର୍ଷିତ ହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ତୁମ ଶ୍ରୀମନ୍ଦିରରେ କୌଣସି ଭକ୍ତ ଅବହେଳିତ କିମ୍ବା ବଞ୍ଚିତ ନହୁଅନ୍ତୁ। ସମସ୍ତଙ୍କ ହୃଦୟରେ ସମତା, ନ୍ୟାୟ, କରୁଣା ଓ ସେବାର ଭାବନା ଜାଗ୍ରତ ହେଉ। ‘ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର’— ଏହି ମହାମନ୍ତ୍ର ସମଗ୍ର ସମାଜରେ ପ୍ରତିଧ୍ୱନିତ ହେଉ।”

ସତ୍ୟାଗ୍ରହୀମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ସରକାର କିମ୍ବା ପ୍ରଶାସନ ବିରୋଧରେ ନୁହେଁ। ବରଂ ଜଗନ୍ନାଥ ସଂସ୍କୃତିର ସମତାର ଆଦର୍ଶକୁ ସୁରକ୍ଷିତ ରଖିବା, ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦର୍ଶନ ଅଧିକାରକୁ ସମ୍ମାନ ଦେବା ଏବଂ ଶ୍ରୀମନ୍ଦିରର ଚିରନ୍ତନ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାର ଏକ ଶାନ୍ତ, ସକାରାତ୍ମକ ଓ ଅହିଂସକ ପ୍ରୟାସ।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ସରସ୍ୱତୀ ପାତ୍ର, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ମମତା ଦାସ, ନିହାରିକା ତ୍ରିପାଠୀ, ମମତା ସ୍ବାଇଁ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ମନୋରଞ୍ଜନ ରଣସିଂହ, ପ୍ରଫୁଲ୍ଲ କୁମାର ସାହୁ, ଗଦାଧର ମହାରଣା, ଜଗନ୍ନାଥ ମହାନ୍ତି, କାହ୍ନୁଚରଣ ପ୍ରଧାନ, ବିମଳ କୁମାର ପାତ୍ର, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିବ। ଏହା ସଂଘର୍ଷର ଭାଷା ନୁହେଁ, ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତନାଦ, ସତ୍ୟାଗ୍ରହର ସାଧନା ଓ ନ୍ୟାୟ ପାଇଁ ନୀରବ ପ୍ରାର୍ଥନା। ଶେଷରେ ନୀରବ ପଦଯାତ୍ରା ପୁଣିଥରେ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି— “ମହାପ୍ରଭୁ ସମସ୍ତଙ୍କର। ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।” ଜୟ ଶ୍ରୀଜଗନ୍ନାଥ।

