ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ରାଜ୍ୟସ୍ତରୀୟ ସମ୍ମାନ
ଚିଲିକା, ନାଚୁଣୀ ୯/୮: ଶିକ୍ଷା ଓ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଚୁଣୀସ୍ଥିତ ଟ୍ୱିଟି ବାର୍ଡସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ଦାଶଙ୍କୁ ରାଜ୍ୟସ୍ତରୀୟ ‘ପଣ୍ଡିତ ଗୋଦାବରୀଶ ଶିକ୍ଷାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆଣ୍ଡ୍ ଆସୋସିଏସନ୍ (AOPSA) ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ, ଶିକ୍ଷାର ଗୁଣାତ୍ମକ ଉନ୍ନତି, ବିଦ୍ୟାଳୟର ଶୃଙ୍ଖଳା ଏବଂ ଶିକ୍ଷାନୁକୂଳ ପରିବେଶ ସୃଷ୍ଟି ଦିଗରେ ଶ୍ରୀ ଦାଶଙ୍କ ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମାରୋହରେ ପୂର୍ବତନ ଭୁବନେଶ୍ୱର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଅଭିଭାବକ ମହାସଂଘର ସଭାପତି ଶ୍ରୀ ବାସୁଦେବ ଭଟ୍ଟ, ଡ. ସନ୍ତୋଷ କୁମାର ପରିଡ଼ା, AOPSA ସଭାପତି ଡ. ଅଜିତ କୁମାର ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଶ୍ରୀ ଦାଶଙ୍କ ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ଟ୍ୱିଟି ବାର୍ଡସ୍ ବିଦ୍ୟାଳୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ହେବା ସହ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ ଶିକ୍ଷାବିତ୍ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।

ରିପୋର୍ଟ. ସଂଗ୍ରାମ ରଣା
