ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏଥିସହ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଆର୍ଥିକ ପରିଚାଳନା ନିମନ୍ତେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତି ସଭ୍ଯା ସୁନୀତା ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସେଠୀ , ବିପିସି ଅଜୟ କୁମାର ସାହୁ , ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅତିଥିବୃନ୍ଦ ସୈାଭାଗ୍ୟବତୀ ୭ ଜଣ ଗେହ୍ଲା ଝିଅଙ୍କ ମାଆଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଚାରା ପ୍ରଦାନ କରିଥିଲେ । ଏଥିସହ ଅତିଥିମାନେ ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ , ବାଲ୍ୟବିବାହ ପ୍ରଥା ପ୍ରତି ପଞ୍ଚାୟତ କିମ୍ବା ଗ୍ରାମାଞ୍ଚଳରେ ବନ୍ଦ କରିବା , ଝିଅ ଚାଲାଣ ବନ୍ଦ , କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ , ଶିଶୁ ସୁରକ୍ଷା ଆଦି ପ୍ରଦାନ ଦିଗରେ ଉପସ୍ଥିତ ଲୋକମାନଙ୍କ ସହ ଏହି କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିବା ସହ ଏଭଳି କିଶୋରୀ ବାଳିକା ଓ ବାଳକ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ନ ଠେଲିବା ପାଇଁ ସଚେତନତା କରାଇଥିଲେ । ପରିଶେଷରେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଯେଉଁ ଋଣ ରାଶିକୁ ସଦ ଉପଯୋଗୀ ଏବଂ ତାହାର ସଠିକ ପରିଚାଳନା କିପରି କରିପାରିବେ ଏବଂ ଛୋଟ ଉଦ୍ୟୋଗ ପରିଚାଳନା କରି ଅନ୍ୟ ମାନଙ୍କୁ କିପରି ସ୍ବାବଲମ୍ବୀ କରିବା ନେଇ ଶିବିରରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ , ୱାର୍ଡ ସଭ୍ୟ ସୁକାନ୍ତି ନାୟକ , ପଞ୍ଚାୟତ ସ୍ତରୀୟ ସଂଘ ସଭାପତି ପ୍ରମୋଦିନୀ ପଣ୍ଡା ସମେତ ବହୁ ଅଙ୍ଗନୱାଡି କର୍ମୀ ଓ ମହିଳା ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
