ପାତ୍ରପୁର — ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତିପୁର ପଞ୍ଚାୟତର ସ୍କୁଲ ସାହି ଏବେ ଅବହେଳା ଓ ଅବ୍ୟବସ୍ଥାର ଚରମ ସୀମାରେ। ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ମୌଳିକ ସୁବିଧା କହିଲେ କିଛି ନାହିଁ। ବିକାଶର ଡିଣ୍ଡିମ ପିଟୁଛି ପ୍ରଶାସନ, ହେଲେ ତୃଣମୂଳ ସ୍ତରରେ ସ୍ଥିତି ସଂଘିନ ନା ପଡୁଛି ସ୍ଥାନୀୟ ପ୍ରଶାସନର ଦୃଷ୍ଟି, ନା ଅଞ୍ଚଳବାସୀଙ୍କ ଦୁଃଖ ବୁଝିବାକୁ ସମୟ ଅଛି ସ୍ଥାନୀୟ ବିଧାୟକଙ୍କ ପାଖରେ। ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଭୋଟ ସରିବା ପରେ ନେତା ଓ ପ୍ରଶାସନ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି। ସମସ୍ୟା ଘେରରେ ସ୍କୁଲ ସାହି ରାସ୍ତାଘାଟ ବିପର୍ଯ୍ୟସ୍ତ: ସାହିର ରାସ୍ତା ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ପଚପଚ ହୋଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ୁଛି। ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧା ହନ୍ତସନ୍ତ ସ୍କୁଲ ସାହି ହୋଇଥିବାରୁ ପ୍ରତିଦିନ ଶହ ଶହ ଛୋଟ ପିଲା ଏହି ଅସଜଡ଼ା ରାସ୍ତା ଦେଇ ବିଦ୍ୟାଳୟ ଯାଉଛନ୍ତି। ବାରମ୍ବାର ଖାଲରେ ପଡ଼ି ଛାତ୍ରଛାତ୍ରୀ ଓ ବୟସ୍କ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।ନିଷ୍କାସନ ବ୍ୟବସ୍ଥା ନାହିଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାହି ଦାଣ୍ଡରେ ଅପରିଷ୍କାର ପାଣି ଜମି ରହି ନାନାଦି ସଂକ୍ରାମକ ରୋଗର ଭୟ ସୃଷ୍ଟି କରୁଛି।
ନେତାଙ୍କ ଅଣଦେଖା, ପ୍ରଶାସନର ଉଦାସୀନତା ଉପରେ ପ୍ରଶ୍ନବାଚୀ।
ସାହିବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ଏହି ଦୁର୍ଦ୍ଦଶା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରାଯାଇଛି। ହେଲେ କେହି ଜଣେ ହେଲେ କର୍ଣ୍ଣପାତ କରୁନାହାନ୍ତି। ନିର୍ବାଚନ ଜିତିବା ପରେ ଜନପ୍ରତିନିଧି ନିଜ ଦାୟିତ୍ୱ ଭୁଲିଯାଇଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଏସି କୋଠରୀରେ ବସି ନୀରବଦ୍ରଷ୍ଟା ସାଜିଛନ୍ତି।ଜନସାଧାରଣଙ୍କ ପ୍ରଶ୍ନ — ଏଥିପାଇଁ ଦାୟୀ କିଏ?ସ୍ଥାନୀୟ ଲୋକେ ଏବେ ସିଧାସଳଖ ପ୍ରଶ୍ନ କରୁଛନ୍ତି, ଆମେ ଟ୍ୟାକ୍ସ ଦେଇ, ଭୋଟ ଦେଇ ନେତା ବାଛୁଛୁ କାହିଁକି। ଯଦି ବର୍ଷ ବର୍ଷ ଧରି ଏକ ଛୋଟ ସାହିର ରାସ୍ତା ଖଣ୍ଡେ ବା ମୌଳିକ ସମସ୍ୟା ସମାଧାନ ହୋଇପାରୁ ନାହିଁ, ତେବେ ଏହି ବିକାଶର ନାରା କାହା ପାଇଁ? ଜନସାଧାରଣଙ୍କ ଏହି ଦୁର୍ଦ୍ଦଶା ପାଇଁ କିଏ ଉତ୍ତରଦାୟୀ — ନିର୍ବାଚିତ ବିଧାୟକ ନା ଅବହେଳା କରୁଥିବା ବ୍ଲକ ପ୍ରଶାସନ।ଯଦି ତୁରନ୍ତ ପ୍ରଶାସନ ଓ ବିଧାୟକ ଏହି ସମସ୍ୟାର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଜୟନ୍ତିପୁର ସ୍କୁଲ ସାହିବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
