You are currently viewing ମହା ଶିବରାତ୍ରୀରେ ଦିଗପହଣ୍ଡିର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ
ମହା ଶିବରାତ୍ରୀରେ ଦିଗପହଣ୍ଡିର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ

ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ ଅବସରରେ ଶନିବାର ଦିନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ପ୍ରମୁଖ ଶୈବପୀଠ ଗୁଡିକ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଖବରନୁଯାୟୀ , ଆଜି ଦିଗପହଣ୍ଡି ସହରର ଗୁପ୍ତେଶ୍ୱର , ମୁକ୍ତେଶ୍ଵର , ଭାବକୁଣ୍ଡଳେଶ୍ବର , ଚନ୍ଦ୍ରଚୁଡେଶ୍ବର , ପାତାଳେଶ୍ବର , କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ସମେତ କମଳାପୁର ସ୍ଥିତ କାଶୀ ବିଶ୍ଵନାଥ , ଖମ୍ବାରୀ ଗାଁ ର ଉଜ୍ଜଳେଶ୍ବର , ବଡପଦାର ଉଦୟନାଥେଶ୍ବର , ସିଦ୍ଧେଶ୍ଵରର ସିଦ୍ଧନାଥ ଶୈବପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ମଧ୍ୟରେ ମହାଦେବଙ୍କ ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ସେହିପରି ଦିଗପହଣ୍ଡି ବ୍ଳକ ଆଙ୍କୋରଡା ଗ୍ରାମରେ ରହିଥିବା ସପ୍ନେଶ୍ବର ଶୈବପୀଠରେ ମଧ୍ୟ ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ସମାଗମ ହୋଇଥିଲା । ଏଥିସହ ଶୈବପୀଠ ମାନଙ୍କରେ ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ମହାଦୀପ ଚଢିବା ପର୍ଯ୍ୟନ୍ତ ଭକ୍ତ ମାନେ ଉପବାସ ରହିଥାନ୍ତି। ମନ୍ଦିର ପରିସର ମାନଙ୍କରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିସହ ସ୍କାଉଟ ଏଣ୍ଡ ଗାଇଡ ଛାତ୍ରଛାତ୍ରୀ ମାନେ ନିୟୋଜିତ ରହି ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିଥିଲେ। ଭକ୍ତଙ୍କ ନିମନ୍ତେ ଶୈବପୀଠ ମାନଙ୍କରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଓ ପ୍ରସାଦର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ସପ୍ନେଶ୍ବର ଶୈବପୀଠରେ ମଧ୍ଯ ଭକ୍ତଙ୍କ ନିମନ୍ତେ ଗ୍ରାମବାସୀଙ୍କ ଦ୍ବାରା ସୁବନ୍ଦୋବସ୍ତ କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ଶିଶିର କୁମାର ପ୍ରଧାନ , ଉପସଭାପତି ସରୋଜ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ କଂସ ଦୋରା , ସଂପାଦକ ଫିଲୁ ପ୍ରଧାନ, ଉପଦେଷ୍ଟା କେ . ତାରାକେସୁ ଦୋରା ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

କିରଣ କୁମାର ବେହେରା , ରିପୋର୍ଟର (ଦିଗପହଣ୍ଡି)