You are currently viewing ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ଦେବଦୂତ ସାଜିଲେ ଦିଗପହଣ୍ଡି ତହସିଲଦାର
ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ଦେବଦୂତ ସାଜିଲେ ଦିଗପହଣ୍ଡି ତହସିଲଦାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଦେବଦୂତ ସାଜି ଜଣେ ଅସହାୟ ଗରିବ ଆଦିବାସୀ ମହିଳାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ମେଡିକାଲରେ ଚିକିତ୍ସା କରାଇ ମାନବିକତାର ପରିଚୟ ସୃଷ୍ଟି କରିଥିବା ଜଣାପଡିଛି । ଖବରନୁଯାୟୀ , ରବିବାର ଦିନ ଦିଗପହଣ୍ଡି ତହସିଲ ଅଧିନରେ ଥିବା ଖମ୍ବାରୀ ଗାଁ ପଞ୍ଚାୟତର ପାହାଡିଆ ଅଧିସୂଚିତ ଜନଜାତି ତଥା ଆଦିବାସୀ ଗ୍ରାମ ଡ଼ିକିଲିକୁ ତହସିଲଦାର ଶ୍ରୀ ପାତ୍ର ସରକାରୀ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଏକ ଘରୁ ଜଣେ ମହିଳାଙ୍କ କାନ୍ଦ ଶୁଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ଉକ୍ତ ଘରକୁ ଯାଇଥିଲେ । ପରେ ଜାଣିବାକୁ ପାଇଥିଲେ ମହିଳା ଜଣକ ଚଣା ବାଡ଼କୁ ଯାଇଥିବା ବେଳେ ସେଠାରେ ଥିବା ମଞ୍ଚାକୁ ଚଢ଼ୁଥିବା ବେଳେ ଖସି ପଡ଼ିଥିଲେ । ଫଳରେ ଏକ ବାଉଁଶ ତାଙ୍କ ପେଟରେ ପଶି ଯାଇଥିଲା । ତେବେ ମହିଳା ଜଣକ ଖୁବ୍ ଯନ୍ତ୍ରଣା ଅନୁଭବ କରି ଆସୁଥିଲେ ମଧ୍ୟ ସେଠାରୁ ମେଡିକାଲ ଯିବାକୁ କୈାଣସି ଯାନ ପରିବହନର ସୁବିଧା ନଥିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ରହି ଆସୁଥିଲେ । ଏଭଳି ପ୍ରତିକ୍ରିୟା ପରେ ତହସିଲଦାର ନିଜ ସରକାରୀ ଗାଡିରେ ବସାଇ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ଆବଶ୍ୟକ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି । ତହସିଲଦାରଙ୍କ ଏଭଳି ମାନବିକତା ଯୋଗୁଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି । ( ଦିଗପହଣ୍ଡି ରୁ କିରଣ କୁମାର ବେହେରା)