ଗଞ୍ଜାମ ଜିଲ୍ଲା ଆମ ପୋଲିସ ସମିତି ପାଟପୁର ଥାନା ପକ୍ଷରୁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରୀ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ପରିସରରେ ମଙ୍ଗଳବାର ଦିନ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ନେଇ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛତ୍ରପୁର ଓ ପାଟପୁର ପୋଲିସର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଂଯୋଜନା କରିଥିଲେ । ଏଥିସହ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ( ଏମ୍ ସି ଆଇ ) ରବିନ୍ଦ୍ର ନାଥ ଜେନା , ସାନଖେମଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା , ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ସୁନୀଲ କୁମାର ଦାସ , ପାଟପୁର ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ଅଧ୍ୟକ୍ଷ ଡଃ. କୈଳାଶ ଚନ୍ଦ୍ର ସ୍ୱାଇଁ , ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ବାହାନ ଦାସ , ପୋଡ଼ାମାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଇ .ପ୍ରଦୀପ କୁମାର ପାତ୍ର , ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସାଧାରଣତଃ ଦୁଇଚକିଆ ମୋଟର ବାଇକ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା , ଦୁଇଚକିଆ ଯାନରେ ଦୁଇରୁ ଅଧିକ ଯାତ୍ରୀକୁ ନ ବସାଇବା , ସେହିପରି ଚାରିଚକିଆ ଯାନ ଚଳାଉଥିବା ସମୟରେ ଚାଳକ ଓ ପାଖରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ , ମଦ୍ୟପାନ କିମ୍ବା ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା , ଦ୍ରୁତ ଗତିରେ ଗାଡି ନ ଚଲାଇବା , ସର୍ବସାଧାରଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ନ ଚଳାଇବା , ରାସ୍ତାରେ ଦୁର୍ଘଟଣା ଘଟିଥିବା ସମୟରେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ସହଯୋଗ କରି ସେମାନଙ୍କୁ କିପରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଆଦି ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେବା ସହ ବର୍ତ୍ତମାନ ସମୟରେ ବହୁ ଯୁବପିଢୀ ମାନେ ଏଥିରେ ବେଶୀ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ତେଣୁ ସେମାନେ ଏହି ସବୁ ନିୟମକୁ ମାନି ଚଳିବା ପାଇଁ କହିଥିଲେ । ଯାହାଫଳରେ ଦେଶ ତଥା ରାଜ୍ୟରେ ଦୁର୍ଘଟଣାର ମାନ ହ୍ରାସ ପାଇପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ ସର୍ବ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଅଟୋ ଚାଳକ ସଂଘ ସଦସ୍ୟ , ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଥାନା ଅଧିକାରୀ ଶ୍ରୀ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ। ( ଦିଗପହଣ୍ଡି ରୁ କିରଣ କୁମାର ବେହେରା)
