ପୋଲିସ ଉପରକୁ ବୋମା ଫିଙ୍ଗିଥିଲେ ଅଭିଯୁକ୍ତ, ପୋଲିସ ସମେତ ଜଣେ ଅଭିଯୁକ୍ତ ଆହତ
ଘଟଣା ସ୍ଥଳରୁ ତିନି ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର
(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ବେଗୁନିଆପଡା :ବୁଧବାର ରାତିରେ ଚାଲିଥିଲା ସଶସ୍ତ୍ର ଡକାୟତି ଯୋଜନା | ପହଞ୍ଚିଗଲା ପୋଲିସ ଭ୍ୟାନ | ଘଟଣା ସ୍ଥଳରୁ ବୋମା ଫିଙ୍ଗି ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ | ପୋଲିସ ପିଛା କରି ତିନି ଜଣ ଗିରଫ କରିଥିଲା | ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ.ବରିଡା ହାଇସ୍କୁଲ ଛକ ନିକଟରେ | ବୁଧବାର ରାତି ପ୍ରାୟ ଏଗାର ଟା ସମୟରେ ଛଅ ରୁ ସାତ ଜଣ ଯୁବକ ପାଖରେ ମାରଣାସ୍ତ୍ର ରଖି ଡକାୟତି ଯୋଜନା କରୁଥିବା ବେଳେ ବେଗୁନିଆପଡା ଥାନା ପକ୍ଷରୁ ଏଏସଆଇ ଶରତ ଚନ୍ଦ୍ର ମହାପାତ୍ର ଏବଂ ଷ୍ଟାଫ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ନିଜ ଭ୍ୟାନ କୁ ସେହିଠାରେ ଅଟକାଇ ଥିଲେ | ପୋଲିସ ଗାଡି ଦେଖି ଅଭିଯୁକ୍ତ ମାନେ ଚମ୍ପଟ ମାରିବାକୁ ଚେଷ୍ଟା କରି ପୋଲିସ ଉପରକୁ ଏକ ବୋମା ଫିଙ୍ଗି ଦେଇଥିଲେ | ଯାହା ଫଳରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ | ଅନ୍ୟ ପକ୍ଷରେ ଉକ୍ତ ବୋମା ରେ ଜଣେ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି | ପରେ ବେଗୁନିଆପଡା ପୋଲିସ ସାହାସିକତାର ସହିତ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଘଟଣା ସ୍ଥଳରୁ କାବୁ କରିନେଇଥିଲା | ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମର ମୁକେଶ ଦଳେଇ (21),ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଦୀପକ ସ୍ୱାଇଁ (20),କେ.ବରିଡା ଗ୍ରାମର ଗଙ୍ଗା ପ୍ରଧାନ (25) | ଗିରଫ ଅଭିଯୁକ୍ତ ଙ୍କ ନାମରେ ବେଗୁନିଆପଡା ଥାନା କେଶ ନମ୍ବର 68/2023 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି | ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି ସୂଚନା ଦେଇଛନ୍ତି ବେଗୁନିଆପଡା ଥାନା ଅଧିକାରୀ ପୁର୍ଣ ଚନ୍ଦ୍ର ପ୍ରଧାନ | ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ସାଇକେଲ ଚେନ,ଭୁଜାଲି, ଲୁହା ରଡ଼ ଜବତ କରାଯାଇଥିବା ସୂଚନା ମିଳିଛି | ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ ଆହୁରି କଡାକଡି କରାଯିବାକୁ ଦାବୀ ହୋଇଛି |
