ବେଲଗୁଣ୍ଠା, 10/11,ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଡିଣ୍ଡିମ ପିଟିବା ସହ ଲୋକ ଦେଖାଣିଆ ଭାବେ ରାଜ୍ୟର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପରିବେଶକୁ ମନୋରମ ଉଦ୍ୟାନରେ ପରିଣତ କରି ବାହାବା ନେଉଛନ୍ତି I କିନ୍ତୁ ଆବଶ୍ଯକ ଡ଼ାକ୍ତର ଅଭାବରୁ ଡାକ୍ତରଖାନା ଗୁଡ଼ିକରେ ରୋଗୀ ସେବା କିପରି ନିମ୍ନ ସ୍ତରକୁ ଚାଲି ଯାଉଛି ତାହାର ଲଙ୍ଗଳା ଚିତ୍ର ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି I ବର୍ତ୍ତମାନ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶ କୌଣସି ପଞ୍ଚ ତାରକା ହୋଟେଲ୍ ଠାରୁ କମ୍ ଚକାଚକ୍ ଦେଖାଯାଉନାହିଁ I କିନ୍ତୁ ମେଡିକାଲ୍ ଭିତରକୁ ପଶିଲେ ମହାକାଳ ଫଳ ଭଳି ରୋଗୀ ଏଠାରେ ଚିକିତ୍ସା ଅବହେଳାରୁ ଛଟପଟ ହେବା ସହ ଜୀବନ ବଞ୍ଚାଇବାକୁ ଅନ୍ୟ ମେଡ଼ିକାଲ୍ କୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି I ଏହାର ମୁଖ୍ୟ କାରଣ ହେଉଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଅଭାବ I ସୂଚନା ପ୍ରକାରେ 30 ବର୍ଷ ତଳେ ବେଲଗୁଣ୍ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିଥିଲେ I

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସୁପରିଟେଣ୍ଡେଣ୍ଟଙ୍କ ସମେତ ଜଣେ ବ୍ଳକ୍ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ଭେଷଜ ବିଶେଷଜ୍ଞ,ଜଣେ ସର୍ଜରୀ,ଜଣେ ଦନ୍ତ ଚିକିତ୍ସକ ଏବଂ ପାଞ୍ଚଜଣ ଏମବିବିଏସ୍ ଡ଼ାକ୍ତର ଭଳି ବାର ଜଣ ଡ଼ାକ୍ତର ରହିବା କଥା I କିନ୍ତୁ ବିଡମ୍ବନାର ବିଷୟ ଯେ ଏଠାରେ ବର୍ତ୍ତମାନ 12 ଜଣ ଡ଼ାକ୍ତର ରହିବା ବଦଳରେ ଜଣେ ମାତ୍ର ମହିଳା ଡାକ୍ତର ରୋଗୀ ସେବା ତୁଲାଉଛନ୍ତି I ସେ ହେଉଛନ୍ତି ଡ଼ାକ୍ତର ସବିତା ବେହେରା ଯିଏ କି ମାତ୍ର ତିନି ମାସ ତଳେ ଏଠାରେ ନିଯୁକ୍ତି ପାଇଛନ୍ତି I ନୂତନ ଭାବେ ନିଯୁକ୍ତି ପାଇଥିବାରୁ ମେଡିକାଲ୍ ପରିଚାଳନା କ୍ଷେତ୍ରରେ ଶ୍ରୀମତୀ ବେହେରାଙ୍କର ଅଭିଜ୍ଞତା ନାହିଁଁ I ତେଣୁ ଜଣେ ନବ ନିଯୁକ୍ତ ମହିଳା ଡ଼ାକ୍ତରଙ୍କ ପକ୍ଷେ 24 ଘଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦାୟିତ୍ୱ ତୁଲାଇବା ଅସମ୍ଭବ ହୋଇପଡିଛି I ଅନ୍ୟ ପକ୍ଷରେ ସୁପରିଟେଣ୍ଡେଣ୍ଟଙ୍କ ଅନୁପସ୍ଥିତିରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଏଠାରେ ସୁପରିଟେଣ୍ଡେଣ୍ଟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି I 60000 ରୁ ଉର୍ଦ୍ଧ୍ବ ଲୋକ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି I ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟହ 300 ରୁ 400 ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଏବେ ଡାକ୍ତର ଅଭାବ ଯୋଗୁଁ ଏଠାକୁ ଦୈନିକ ମାତ୍ର 100 ଭିତରେ ରୋଗୀ ହିଁ ଆସୁଛନ୍ତି I ଡାକ୍ତର ନଥିବା ଯୋଗୁଁ ଏହା ଏକ ରେଫେରାଲ ମେଡ଼ିକାଲ୍ ରେ ପରିଣତ ହୋଇଛି I ସୁପରିଟେଣ୍ଡେଣ୍ଟ ଡ଼ାକ୍ତର ଷଡ଼ଙ୍ଗୀ ବେଲଗୁଣ୍ଠା ବ୍ଳକ୍ ର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପାଇଲିପଡ଼ା,ଗାଙ୍ଗପୁର,ବଙ୍କା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆୟୂଷ ଡ଼ାକ୍ତରମାନଙ୍କୁ ପାଳିକରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ଦେଉଛନ୍ତି I ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁର୍ବେଦିକ୍ ଡ଼ାକ୍ତର ବସନ୍ତ ସ୍ଵାଇଁ,ଆରବିଏସକେ ଡ଼ାକ୍ତର ଜ୍ଞାନରଞ୍ଜନ ମହାପାତ୍ର,ପାଇଲିପଡ଼ା ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନ,ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ ଏବଂ ଆୟୂଷ ଡ଼ାକ୍ତର ଜଗନ୍ନାଥ ପତି ପାଳିକରି ବେଲଗୁଣ୍ଠାରେ ରୋଗୀସେବା ତୁଲାଉଛନ୍ତି I ଏନେଇ ସୁପରିଟେଣ୍ଡେଣ୍ଟ ଡାକ୍ତର ଷଡଙ୍ଗୀଙ୍କ ପ୍ରତିକ୍ରିୟା ନେବାରୁ ସେ ଡ଼ାକ୍ତର ଅଭାବ ସମସ୍ୟା ନେଇ ଜିଲ୍ଳା ପ୍ରଶାସନ,ଜିଲ୍ଳାପାଳ ଏବଂ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏନେଇ ଜଣାଇଥିବା ପ୍ରକାଶ କରିଛନ୍ତି I ପୂର୍ବରୁ ମଧ୍ୟ ଏଠାରେ ଡ଼ାକ୍ତର ନଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ଏଠାରେ ତିନିଜଣ ଡ଼ାକ୍ତର ନିଯୁକ୍ତି ପାଇଥିଲେ I କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଏଠାରୁ ଦୁଇଜଣ ଡ଼ାକ୍ତର ଡ଼ାକ୍ତର ସମ୍ବିତ୍ ପଣ୍ଡା ଏବଂ ଡ଼ାକ୍ତର ସିଦ୍ଧାର୍ଥ ବେହେରା ପିଜି ପାଇ ପଳାଇଯିବା ସହ ଅନ୍ୟଜଣେ ଡ଼ାକ୍ତର ଚିତ୍ତରଞ୍ଜନ ପଣ୍ଡା ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲିଗଲେ I ତେଣୁ ଗଞ୍ଜାମ ଜିଲ୍ଳାପାଳ ଏବଂ ରୋଗୀ ସେବାକୁ ଦୃଷ୍ଟି ଦେବା ଅନୁରୋଧ
ରିପୋର୍ଟ-ଶିବରାମ ଚୌଧୁରୀ


