କଟକ:(ଅମିତ୍ କୁମାର ସାହୁ) ୧୪/୧୧/୨୨ : ଦୀର୍ଘ ଦିନ ଧରି ଭିଜିଲାନ୍ସମାମଲା ବିଚାରାଧୀନ ରହିଲେ ତାହା କୌଣସି ଅଧିକାରୀବା କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହେବା ଅନୁଚିତ। ଏଭଳି ମାମଲାର କେବେ ଅନ୍ତ ଘଟିବ ତାହା ଜଣା ନଥିବାରୁ ଏଥିପାଇଁ ସଂପୃକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପଦୋନ୍ନତି ଅଟକାଇ ରଖାଯିବ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ବିଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ଆବେଦନକାରୀ ଓଏଏସ୍ ଅଫିସର ଡକ୍ଟର ଏସ୍. ବାରିକଙ୍କୁ ପଦୋନ୍ନତି ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଆବେଦନକାରୀଙ୍କୁ ତାଙ୍କ ଠାରୁ କନିଷ୍ଠ ଓ ସମାନ ବ୍ୟାଚ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପଦୋନ୍ନତି ତାରିଖ ଆଧାରରେ ଡକ୍ଟର ବାରିକଙ୍କୁ ପଦୋନ୍ନତି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ବିଚାରାଧୀନ ଭିଜିଲାନ୍ସ ମାମଲାର ଚୂଡ଼ାନ୍ତ ଫଳାଫଳ ଉପରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ପଦୋନ୍ନତିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ୨୦୦୬ରୁ ଡକ୍ଟର ବାରିକଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ବେଳେ ତାଙ୍କୁ ଏଥିପାଇଁ କୌଣସି ପଦୋନ୍ନତି ଦିଆଯାଉ ନାହିଁ। ୨୦୦୬ ଭିଜିଲାନ୍ସ ମାମଲାରେ କଟକ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତରେ ୨୦୧୦ ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା। କିନ୍ତୁ ଦୀର୍ଘ ୧୫ ବର୍ଷ ହେଲା ମାମଲା ଚାଲିଥିଲେ ବି ଡକ୍ଟର ବାରିକଙ୍କୁ ପଦୋନ୍ନତି ଦିଆଯାଉ ନଥିଲା ଡକ୍ଟର ବାରିକ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବା ଏସ୍ ଦାସ ମାମଲା ପରିଚାଳନା କରୁଥିଲେ।
