You are currently viewing ମହୁଡା ଗ୍ରାମରେ ଯୁବକଙ୍କ ଆତଙ୍କରାଜ ମାମଲା ; ଅଭିଯୁକ୍ତ ପାଣ୍ଡା ଗିରଫ
ମହୁଡା ଗ୍ରାମରେ ଯୁବକଙ୍କ ଆତଙ୍କରାଜ ମାମଲା ; ଅଭିଯୁକ୍ତ ପାଣ୍ଡା ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଗତ ଗୁରୁବାର ଦିନ ଆତଙ୍କରାଜ ଖେଳାଇ ଲୋକଙ୍କୁ ଭୟଭୀତ କରିବା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ପାଣ୍ଡା ଗୌଡ଼ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଅଭିଯୁକ୍ତ ପାଣ୍ଡା ଗୁରୁବାର ଦିନ ସକାଳେ କିଛି ସହଯୋଗୀ ସହ ଗ୍ରାମରେ ଖଣ୍ଡା ଧରି ଆତଙ୍କରାଜ କରିବା ସହ ଗ୍ରାମର ଲକ୍ଷ୍ମୀ ନାହାକଙ୍କ ଘର ସମ୍ମୁଖରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଗ୍ରାମବାସୀ ପ୍ରତିବାଦ କରିବାରୁ କିଛି ମହିଳାଙ୍କୁ ଅସଦାଚରଣ କରିବା ସହ କିଛି ବ୍ୟକ୍ତିଙ୍କୁ ଧମକ ଚମକ ଦେଇ ଟଣାଓଟରା କରିଥିଲେ। ଯାହାଫଳରେ ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ କରାଯିବା ଦାବିନେଇ ଗ୍ରାମବାସୀ ବ୍ରହ୍ମପୁର – ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଅପରାଧ ପୃଷ୍ଠଭୂମି ଥିବା ପାଣ୍ଡା ଓ ତାଙ୍କ ସମର୍ଥକଙ୍କ ଆତଙ୍କରାଜ ଯୋଗୁଁ ଗ୍ରାମବାସୀମାନେ ସନ୍ଧ୍ୟା ହେଲେ ଅତ୍ୟନ୍ତ ଭୟଭୀତ ହୋଇ ରହି ଆସୁଥିଲେ। ଗୁରୁବାର ସକାଳେ ସେମାନେ ପୁଣି ସଂଘଟିତ ହୋଇ ଗ୍ରାମରେ ଆତଙ୍କ ଚଳାଇବା ସହ କିଛି ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ । ପ୍ରତିବାଦରେ ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ମେଳିବାନ୍ଧି ଗ୍ରାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ସକାଳ ସାଢେ ୧୧ ଟା ରୁ ଅପରାହ୍ନ ପ୍ରାୟ ୪ ଟା ଯାଏଁ ୫ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପାଣ୍ଡାଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଥିବା ସୂଚନା ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଲୋକେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ । ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ଆଜି ଥାନା ମାମଲା ନଂ.୨୧୪/୨୩ ଅନୁଯାୟୀ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା