ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ଘଟିଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କାର ଲୋମଟାଙ୍କୁରା ତଥା ଛାତିଥରା ଦୃଶ୍ୟ ଲୋକଙ୍କ ଆଖି ଆଗରେ ନାଚୁଥିବା ବେଳେ ଗିରଫ ହୋଇ ଜେଲ ଯାଇଥିବା ହାଇଟେକ୍ ବସ୍ ଚାଳକ ମାନସ ପ୍ରଧାନ ଗୁରୁବାର ଜେଲରୁ ମୁକୁଳିଥିବା ଜଣାପଡିଛି । ଘଟଣା ପରେ ଫେରାର ହୋଇ ଯାଇଥିବା ଚାଳକଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିବା ପରେ ଗତ ମଙ୍ଗଳବାର ଦିନ ଦିଗପହଣ୍ଡି ଜେଏମଏଫସି କୋର୍ଟକୁ ଚାଲାଣ କରିଥିଲେ । ଦ୍ରୁତ ଏବଂ ବେପରୁଆ ଭାବେ ଗାଡି ଚାଳନା କରି କନ୍ଯାଯାତ୍ରୀଙ୍କୁ ନେଇ ଆସୁଥିବା ମିନିବସକୁ ଧକ୍କା ଦେବା ସହ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ପାଇଁ ବସ୍ ଚାଳକଙ୍କୁ ଦାୟୀ କରି ପୋଲିସ ତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୨୭୯/୩୩୭/୩୩୮ ଏବଂ ୩୦୪(କ) ଭଳି ଦଫା ଲଗାଇଥିଲେ । ତେବେ ଚାଳକଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରି ଘଟଣାରେ ଚାଳକଙ୍କ କୌଣସି ଭୁଲ୍ ନଥିବା ଯୁକ୍ତି ବାଢିଥିଲେ । ଏପରିକି ସମସ୍ତ ଧାରା ଜାମିନ ଯୋଗ୍ଯ ହୋଇଥିବାରୁ ଜେଏମଏଫସି ଆବେଦନକୁ ମଞ୍ଜୁର ମଧ୍ୟ କରି ଦେଇଥିଲେ । ଫଳରେ ଗୁରୁବାର ଦିନ ଚାଳକ ଜଣକ କୋର୍ଟଙ୍କ ଆଦେଶ ପ୍ରକାରେ ୧୦୦୦୦ ଟଙ୍କାର ସ୍ଯୁରିଟି ବଣ୍ଡ ଦାଖଲ କରି ଜେଲରୁ ମୁକୁଳିବାରେ ସକ୍ଷମ ହୋଇଥିଲେ।ପ୍ରକାଶ ଥାଉକି ସେହି ଦୁର୍ଘଟଣାରେ ଖଣ୍ଡଦେଉଳୀ ଗ୍ରାମର ୪, ମୁଜାଗଡ ଗ୍ରାମର ୫, ଗଡଗୋବିନ୍ଦ ପୁର ଏବଂ ସିଙ୍ଗିପୁର ଗ୍ରାମର ଜଣେ ଲେଖାଏଁ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଏବଂ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ।ବସ୍ ଚାଳକ ଜେଲରୁ ମୁକୁଳିଥିବା ଜଣାପଡିବା ପରେ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖାଯାଇଛି।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
