ବ୍ରହ୍ମପୁର,୧୮/୧୧/୨୨/ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର । ଏଥିପାଇଁ ଆରମ୍ଭ ହୋଇଛି ଡ଼୍ରୋନ ସର୍ଭେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକିଛି ଦିନ ତଳେ ଏହି ଡ୍ରୋନ୍ ସର୍ଭେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଶୁକ୍ରବାର ବିଏମ୍ସିର ୧୭ ନଂ ୱାର୍ଡରେ ଡ୍ରୋନ୍ ସର୍ଭେ ହୋଇଛି । ୧୭ନଂ ୱାର୍ଡରେ ୧୧ଟି ବସ୍ତି ଚିଂହ୍ନଟ ହୋଇଛି । ନବୀନ ନଗର, ମୋଚ୍ଚି ସାହି, ନୁଆଁ ଲକ୍ଷ୍ମୀ ନଗର, କେନାଲ ସାହି, ବଡ଼ ହରିଜନ ସାହି, ଦାସିରି ସାହି, ସାନ ଧୋବା ସାହି, ଦଣ୍ଡା ସି ସାହି, ବଡ଼ ଧୋବା ସାହି, ଜାଗିଲି ସାହି, ସାନ ହରିଜନ ସାହି ପ୍ରମୁଖ ବସ୍ତି ଚିଂହ୍ନଟ ହୋଇଛି । ଜାଗା ମିଶନ ଜରିଆରେ ଏହି ସମସ୍ତ ବସ୍ତିରେ ଥିବା ଘରଗୁଡିକୁ ଚିହ୍ନଟ କରାଯାଇଛି। ଏହି ବସ୍ତି ଗୁଡିକୁ ବିଜୁ ଆଦର୍ଶ କଲୋନୀ ଭାବେ ନାମିତ କରାଯାଇଛି। ସର୍ଭେ ବେଳେ ସ୍ଥାନୀୟ କର୍ପୋରେଟର ଦୁର୍ଗା କୁମାର ଲାୟକ, ଗୋଷ୍ଠୀ ସଙ୍ଗଠିକା ସୁସ୍ମିତା ପଟ୍ଟନାୟକ, ୱାର୍ଡ ଅଫିସର ରାଜୀବ ମିଶ୍ର ଏବଂ ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟ ଅଭିଷେକ ରଥ ସମେତ ବହୁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ପୂର୍ବରୁ ବସ୍ତି ବାସିନ୍ଦାମାନେ ନିଜର ଜାତିଗତ ପ୍ରମାଣ ପତ୍ର, ବ୍ୟାଙ୍କ ଲୋନ୍ ସମେତ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଇଥିଲେ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡ୍ରୋନ୍ ସର୍ଭେ କରିବା ପରେ ବସ୍ତିବାସିନ୍ଦା ସେହିସବୁ ସମସ୍ୟାରୁ ମୁକ୍ତି ପାଇବେ ବୋଲି କର୍ପୋରେଟର ଦୁର୍ଗା ଲାୟକ କହିଛନ୍ତି । ତାହା ସହ ୧୭ନଂ ୱାର୍ଡରେ ପ୍ରାୟ ୨ହଜାର ରୁ ୨୨୦୦ ଶହ ପରିବାର ଲୋକେ ଉପକୃତ ହେବେ ବୋଲି ଶ୍ରୀ ଲାୟକ କହିଛନ୍ତି ।
