You are currently viewing ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଘୋଡାହଡ ନଦୀଗଣ୍ଡ ପରିଦର୍ଶନରେ ପ୍ରଶାସନିକ ଅଧିକାରୀ
ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଘୋଡାହଡ ନଦୀଗଣ୍ଡ ପରିଦର୍ଶନରେ ପ୍ରଶାସନିକ ଅଧିକାରୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଘୋଡାହଡ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ମାନଙ୍କରେ ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ଶୁକ୍ରବାର ଦିନ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଜଳସେଚନ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ଏଥିସହ ଉତ୍ତେଜିତ ଗ୍ରାମବାସୀଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା କରି ଫେରିଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧିନସ୍ଥ ଖମ୍ବାରୀ ଗାଁ ନିକଟରେ ଥିବା ଘୋଡାହଡ ଡ୍ୟାମ ଏବଂ ନଦୀଗଣ୍ଡ ମାନଙ୍କରେ କୁମ୍ଭୀର ମାନେ ରହୁଥିବା ବେଳେ ଗତ କିଛି ଦିନ ହେଲା କୁମ୍ଭୀରଙ୍କ ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡୁଥିଲା ଜଣାପଡିଛି ।

ଏପରିକି ଗତ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ସେବକ ଟିକରପଡା ଗ୍ରାମର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଖମ୍ବାରୀ ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଯାହାଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇ କୁମ୍ଭୀରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ପ୍ରଶାସନ ନିକଟରେ ଦାବି କରିଥିଲେ । ଯାହାକୁ ନେଇ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ସଞ୍ଜୀବ କୁମାର ଦାସ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ୭ ଜଣିଆ ଯାଞ୍ଚ କମିଟି ଗଠନ ହୋଇଥିଲା । ଆଜି ମୁଖ୍ୟ ଯନ୍ତ୍ରୀ ସମେତ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଗୋକୁଳ ଚନ୍ଦ୍ର ପାଢ଼ୀ ,

ଛେଳିଗଡ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ଉମେଶ ପଟ୍ଟନାୟକ , ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଇଂ. ଜୟଦୀପ ପଣ୍ଡା , ବ୍ରହ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ ପ୍ରହରାଜ , ହିଞ୍ଜିଳିକାଟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାସ , ଦିଗପହଣ୍ଡି ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା , ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା , ତହସିଲଦାର ସିପକ କୁମାର ପାତ୍ର ପ୍ରମୁଖ ସେବକ . ଟିକରପଡା ନିକଟରେ ଥିବା ନଦୀଗଣ୍ଡ ପରିଦର୍ଶନ କରି ଘଟଣାସ୍ଥଳ ନିରୀକ୍ଷଣ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ କହିବା ପ୍ରକାରେ ଉକ୍ତ ନଦୀଗଣ୍ଡରୁ ପାଣି ଖାଲି କରାଗଲେ କୁମ୍ଭୀର ମାନେ ଅନ୍ୟତ୍ର ଚାଲିଯିବେ ବୋଲି ପ୍ରଶାସନିକ ଅଧିକାରୀଙ୍କ ନିକଟରେ କହିଥିଲେ । ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ଅଧିକାରୀ ମାନେ ନଦୀଗଣ୍ଡର ଉଭୟ ପାର୍ଶ୍ଵରେ କାନ୍ଥ କରି ଏକ ଚ୍ୟାନେଲ ଦ୍ବାରା ପାଣିକୁ ନଦୀକୁ ଛଡାଯିବା ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା