ଧରାକୋଟ,14/11/23
ଧର୍ମର ମାସ ହେଉଛି କାର୍ତ୍ତିକ । ଏହି ମାସରେ ଅଧିକାଂଶ ଲୋକ ଙ୍କ ଘରେ ଆମିଷ ଭୋଜନ ନିଷେଧ । ହୋଟେଲ ଗୁଡିକରେ ମଧ୍ୟ ବିନା ପିଆଜ ଓ ରସୁଣ ଖାଦ୍ୟର ଚାହିଦା ଅଧିକ । ଏଣୁ ପନିପରିବା ଦର ଆକାଶଛୁଆଁ ହୋଇଛି । ଧରାକୋଟ, ମୁଣ୍ଡମରାଇ,ଚରିଛକ, ଦଶ ମାଇଲି, ବରଡାବିଲି,ମାଣିକ ପୁର, ଢ଼ଉଗାଁ, ଜାହାଡା, ସୀଙ୍ଗିପୁର, ଝରପାରି , ବାହାରପୁର ଓ କାନଗିରିଡି ପ୍ରଭୃତି ଗ୍ରାମରେ ମିଳୁଥିବା ପରିବା ଦର ରେ ବେଶ ମୂଲ୍ୟ ବୃଦ୍ଧି ଘଟିଛି । ଅନ୍ୟ ପକ୍ଷରେ ପିଆଜ ଦର ମଧ୍ୟ ଆଶାତୀତ ଭାବରେ ବଢ଼ିଛି। ଟମାଟୋ 40 ଟଙ୍କା, ବିନ 80 ଟଙ୍କା,ଫୁଲ କୋବି 70 ଟଙ୍କା, କଲରା 40 ଟଙ୍କା,ଭେଣ୍ଡି 40 ଟଙ୍କା, ସଜନା 80 ଟଙ୍କା,ଝୁଡୁଙ୍ଗ 50 ଟଙ୍କା, ବାଇଗଣ 40 ଟଙ୍କା ଏବଂ ହବିଷ ପରିବା କଞ୍ଚା କଦଳୀ, କନ୍ଦମୂଳ ଓ ସାରୁ 40 ଟଙ୍କା ଲେଖାଏଁ ବଜାରରେ ବିକ୍ରି ହେଉଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଉଭୟ ଧାନ ଓ ପନିପରିବା ଆଦାୟ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଚାହିଦା ମୁତାବକ ପରିବା ମିଳୁନାହିଁ । ମାସ ଶେଷ ପର୍ଯ୍ୟନ୍ତ ଏପରି ଦର ବୃଦ୍ଧି ହୋଇ ରହିବାର ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । କରଣ ଆସନ୍ତା ମାସରେ ମାର୍ଗଶିର ମାସର ଗୁରୁବାର ପୂଜା ପାଳନ ହେବ । ଏଣୁ ପନିପରିବା ଦର ବୃଦ୍ଧି ରୋକିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।
