ଭଞ୍ଜନଗର, ୨୦/୧୧. ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଜି ସର୍ବଦଳୀୟ ସଙ୍ଗଠନ ଘୁମୁସର ସଂଗ୍ରାମ ସମିତି ପକ୍ଷରୁ ଘୁମୁସର ଜିଲ୍ଲା ଘୋଷଣା ନେଇ ଦାବି ଜୋର ଧରିଛି। ସଙ୍ଗଠନର କର୍ମକର୍ତ୍ତା ମାନେ ଏକାଠି ହୋଇ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।ସେଠାରେ ଉପସ୍ଥିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଘୁମୁସର ଜିଲ୍ଲା ଦାବି ୨୧ଦିନ ମଧ୍ୟରେ ପୂରଣ ନହେଲେ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଘୁମୁସର ଉପଖଣ୍ଡରେ ମୋଟ ୮ ଗୋଟି ବ୍ଲକ୍ ଓ ୫ ଗୋଟି ଏନ୍.ଏ.ସି.କୁ ନେଇ ସ୍ବତନ୍ତ୍ର ‘ଘୁମୁସର ଜିଲ୍ଲା’ ତୁରନ୍ତ ଘୋଷଣା କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।ଗତ ୧୯୯୨ ମସିହାରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାର ୧୩ ଗୋଟି ଜିଲ୍ଲାକୁ ୩୦ ଗୋଟି ଜିଲ୍ଲା ଗଠନ ହୋଇଥିଲା।ହେଲେ ଏଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଘୁମୁସର ଜିଲ୍ଲା ଘୋଷଣା କରୁ ନଥିବାରୁ ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ଆଜି ସ୍ୱର ଉତ୍ତୋଳନ କରିଛନ୍ତି।ତେଣୁ ଦୀର୍ଘଦିନ ହେଲା ବିଭିନ୍ନ ବ୍ଲକରେ ବନ୍ଦ,ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାବିକୁ ଗୁରୁତର ସହ ବିଚାର ନରକନ୍ତି ତାହେଲେ ଜନଆନ୍ଦୋଳନରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି।

ଏଥିରେ ଘୁମୁସର ସଂଗ୍ରାମ ସମିତିର ସଭାପତି ତଥା ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ନିଶାକର ବିଷୋୟୀ, ଆବାହକ ଦେବୀ ବିଷୋୟୀ,ଉପସଭାପତି ମୁରଲୀ ଧର ପଣ୍ଡା, ସୁକାନ୍ତ କୁମାର ଦିଗାଲ,ନୌସାଦ ମହମ୍ମଦ, ବିଦ୍ୟାଧର ପ୍ରଧାନ,ଶିବ କୁମାର ନାୟକ, ଭଞ୍ଜ କିଶୋର ପ୍ରଧାନ, ଶୂଳପାଣି ଶତପଥୀ,ଧୀରଜ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
