You are currently viewing ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ ।
ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ ।

ବ୍ରହ୍ମପୁର, ୨୯/୧୧ : ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ପାଞ୍ଚ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ଦୁର୍ନୀତି ବିରୁଦ୍ଧରେ ଏକ ଦାବୀପତ୍ର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ସଂପ୍ରତି ଓଡ଼ିଶା ରାଜ୍ୟରେ ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଭ୍ରଷ୍ଟ, ଅରାଜକତା, ତୁଷ୍ଟିକରଣ ଓ ଅପାରଗ ସରକାରଙ୍କ ଦୁର୍ନିତୀର ଗନ୍ତାଘର ପାଲଟିଛି ।

କେନ୍ଦ୍ର ସରକାରଙ୍କ ‘ଅମୃତ ସରୋବର’ ଯୋଜନାକୁ ରାଜ୍ୟ ସରକାର ‘ମୋ ପୋଖରୀ’ ନାମରେ ନାମିତ କରି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୮ଟି ପୋଖରୀରେ ମହାଦୁର୍ନୀତି କରାଯାଇଛି । ବ୍ରହ୍ମପୁର ସହରରେ ଥିବା ବିଭିନ୍ନଜଳାଶୟ , ପୋଖରୀ,ବନ୍ଧ ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଶହ ଶହ କୋଟି ଟଙ୍କା ବ୍ରହ୍ମପୁର ମହାନଗର ନିଗମ ପାଇଥିବା ବେଳେ ଏହି ବ୍ରହ୍ମପୁର ମହାନଗର ନିଗମରେ ଥିବା ପୋଖରୀ ଗୁଡିକର ପାଣି ଗୁଡିକ ଅତ୍ୟଧିକ ଦୂଷିତ ଏବଂ ବିଷାକ୍ତ ଅବସ୍ଥାରେ ରହିଅଛି । ଦୁଃଖ ଏବଂ ପରିତାପର ବିଷୟ ଏହି ଜଳାଶୟ ଗୁଡିକ ପୁନଃରୁଦ୍ଧାର ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ଶାସକ ଦଳର ନେତା ଠିକାଦାର, ଯନ୍ତ୍ରୀ ଏବଂ ବ୍ରହ୍ମପୁର ମହାନଗର ନିଗମର ଦୁର୍ନିତୀଗ୍ରସ୍ତ ଅଫିସର ମାନେ ହଡ଼ପ କରି ନେଇଛନ୍ତି । ଯାହା ଫଳରେ ଏହି କେନ୍ଦ୍ରୀୟ ଯୋଜନାର କୋଟି କୋଟି ଟଙ୍କା ବାଟମାରଣା ହୋଇଛି ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।

ରାଜ୍ୟ ସରକାର ସହରାଞ୍ଚଳ ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ ଥିବା ବାସହୀନ ଏବଂ ଭୂମିହୀନ ଲୋକ ମାନଙ୍କୁ ଉଷା ଯୋଜନାରେ ପଟ୍ଟା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦା ମାନଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ ।
କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା “ହର ଘର ନଳ” ଯୋଜନା ଦେୟ ମୁକ୍ତ ହୋଇଥିବା ବେଳେ ବିଇଏମ୍‌ସି କର୍ତ୍ତୃପକ୍ଷ ପ୍ରତ୍ୟେକ ଘରୁ ଜୋର ଜବରଦସ୍ତ ସାତ ହଜାର ଟଙ୍କା ଆଦାୟ କରୁଛନ୍ତି ଯାହା ଯଥା ଶୀଘ୍ର ବନ୍ଦ କରାଯାଉ । ଅନ୍ୟ ମହାନଗର ନିଗମ ଗୁଡିକରେ ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇନଥିଲେ ମଧ୍ୟ କେବଳ ବ୍ରହ୍ମପୁରରେ କାହିଁକି ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇଛି ? ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳ ଯଥା- ଏନଏସି, ମୁନିସିପାଲିଟି, ମହାନଗର ନିଗମ ଗୁଡିକୁ ସହ ସହ କୋଟି ଟଙ୍କାର ମୁକ୍ତା ଯୋଜନାରେ ନିର୍ମାଣ କାର୍ଯ୍ୟ ଗୁଡିକ ଚାଲିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କାର ବାଟ ମାରଣା ଚାଲିଛି ।

ଏହି ଯୋଜନାରେ ସମସ୍ତ କାର୍ଯ୍ୟ ବେଆଇନ ଭାବେ ଓଭର ଏଷ୍ଟିମେଟ୍‌ରେ କରାଯାଉଛି, ଯାହା ଅତ୍ୟାଧିକ ୫ ପ୍ରତିଶତରେ ଟେଣ୍ଡର ହେଉଛି ଏବଂ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଟେଣ୍ଡରର ସମସ୍ତ ନିୟମକୁ ଖିଲାଫ କରି ନିର୍ଦ୍ଦିଷ୍ଟ ଶାସକ ଦଳର ଠିକାଦାର ମାନଙ୍କୁ ଟେଣ୍ଡର ଫିକ୍ସିଂ ମାଧ୍ଯମରେ କାମ ଦେଇ ଅତି ନିମ୍ନ ମାନର ରାସ୍ତା କାମ ଗୁଡିକ କରି ଏବଂ ଡ୍ରେନ୍ ଗୁଡିକ ମଧ୍ଯ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ସେଥିରୁ ବାଟ ମାରଣା କରୁଛନ୍ତି । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । କେନ୍ଦ୍ର ସରକାରଙ୍କର ରାଜୀବ ଆବାସ ଯୋଜନା ଅନୁଯାୟୀ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ୨୦ ହଜାର ବାସହୀନ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଶହଶହ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ରାଜୀବ ଆବାସ ଅଟ୍ଟାଳିକା ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଛି ଯେଉଁ ଗୃହ ଗୁଡିକ ନିର୍ମାଣ ହୋଇଛି ସେଗୁଡ଼ିକ ରହିବା ଯୋଗ୍ୟ ହୋଇ ରହିନାହିଁ ନିର୍ମାଣ ହେବାର କମ ଦିନରେ ବାସଗୃହ ଗୁଡିକର ପୁନଃରୁଦ୍ଧାର ଜରୁରୀ ହୋଇପଡିଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ । ମହାନଗର ନିଗମରେ ଅନେକ ଆର୍ଥିକ ସ୍ୱଚ୍ଛଳ ଦୁଇମହଲା କୋଠା,ଏପରିକି ଚାରିଚକିଆ ଯାନ ଥିବା ଲୋକ ମାନେ ରାସନ୍ କାର୍ଡ଼ ହାତେଇଥିବା ବେଳେ ପ୍ରକୃତ ଗରିବ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ମାନେ ରାସନ୍ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରକାଶ ଥାଉକି କାଉନସିଲ୍ ବୈଠକରେ ପ୍ରତି ଓ୍ୱାର୍ଡ଼ରେ ଶହେ ନୂତନ ହିତାଧିକାରୀଙ୍କୁ କାର୍ଡ଼ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ଯ ତାହା କାର୍ଯ୍ୟକ୍ଷମ ହେଲା ନାହିଁ । ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଉ ।

ସଫେଇ କର୍ମଚାରୀ ମାନଙ୍କର ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ୱାନ ହୋଇଥିଲେ ମଧ୍ୟ ଶାସକ ଦଳର ସ୍ବାର୍ଥରେ ଯାଉନଥିବାରୁ ବ୍ରହ୍ମପୁର ସହରରେ ସଫେଇ କାର୍ଯ୍ୟ ଠିକ୍ ରୂପେ ହୋଇନପାରିବା ଦୁର୍ଭାଗ୍ୟଜନକ । ଏହାର ଯଥା ଶୀଘ୍ର କାର୍ଯ୍ୟାନ୍ୱୟନ ହେଉ । ବ୍ରହ୍ମପୁର ମହାନଗରରେ ନାଳନର୍ଦ୍ଦମା ବହୁ ଜାଗାରେ ଖୋଲା ଖୋଲି ଭାବେ ଦୟନୀୟ ଅବସ୍ଥାରେ ପଡିରହିଛି ଯାହା ଫଳରେ ଦୁର୍ଘଟଣା ମାନ ଘଟୁଛି । ବିଇଏମ୍‌ସି ଦୃଷ୍ଟି ନ ଦେବା ଫଳରେ ମଶା ବଂଶ ବୃଦ୍ଧି ପାଉଛି ଅପର ପକ୍ଷରେ ବିଇଏମ୍‌ସିର ଟିଫା ମେସିନ୍ ଅକାମୀ ହୋଇ ପଡିରହିଛି । ଏଥି ପ୍ରତି ଦୃଷ୍ଟି ଦିଆଯାଉ । ବ୍ରହ୍ମପୁର ମହାନଗର ନିଗମର ୧୨୦୦ ସଫେଇ କର୍ମଚାରୀଙ୍କୁ ପିପିଇ କିଟ୍ ନଦେଇ ସଫେଇ କାମରେ ଲଗାଇବା କାରଣରୁ ସେମାନେ ବିଭିନ୍ନ ଦୁରାରୋଗ୍ୟ ରୋଗରେ ପିଡିତ ହେଉଛନ୍ତି । ବିଇଏମ୍‌ସି ସେମାନଙ୍କୁ ତୁରନ୍ତ ପିପିଇ କିଟ୍ ଯୋଗାଇବା ସହ ଅସ୍ଥାୟୀ ଭାବେ ନିଯୁକ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଇ ଏବଂ ସଫେଇ କର୍ମଚାରୀ ମାନଙ୍କର ଏସ୍.ଓ.ପି ନିର୍ଦ୍ଧାରଣ କରାଯାଉ । ବ୍ରହ୍ମପୁର ମହାନଗର ନିଗମ ଗେଷ୍ଟ ହାଉସକୁ ଘରୋଇ କରଣ କାହା ସ୍ବାର୍ଥରେ କରାଯାଇଛି । ଯଥା ଶୀଘ୍ର ବିଇଏମ୍‌ସି ଏହାକୁ ନିଜ ହାତକୁ ନେବାକୁ ଦାବୀ କରାଯାଉଛି । ଗେଟ୍ ବଜାର, କମାପଲ୍ଲୀ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ବ୍ୟବସାୟୀ ମାନଙ୍କୁ ଦୋକାନଗୃହ ଆବଣ୍ଟନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ରାସ୍ତା କଡରେ ପରିବା ବ୍ୟବସାୟୀ ମାନେ ବିକ୍ରି କରିବା ପାଇଁ ବାଧ୍ଯ ହେଉଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି । ତେଣୁ ତୁରନ୍ତ ବ୍ୟବସାୟୀ ମାନଙ୍କୁ ଦୋକାନ ଗୃହ ଗୁଡିକ ପ୍ରଦାନ କରାଯାଇ ଏହାର ସ୍ଥାୟୀ ସମାଧାନ କରାଯାଉ । ବ୍ରହ୍ମପୁରରେ ଉଠା ଦୋକାନୀ,ଠେଲା ଗାଡି ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଥିଲେ ମଧ୍ୟ ସେହି ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହେଉଛି ତାହାର ହିସାବ ବିଇଏମ୍‌ସି ଆଜି ସୁଦ୍ଧା ସାର୍ବଜନୀନ ନକରିବା ଦୁର୍ନିତୀକୁ ପ୍ରଶ୍ରୟ ଦେଇଛି । ଏହାର ଉପଯୁକ୍ତ ତଦନ୍ତ କରାଯାଉ । ଏନ୍‌ଫୋରର୍ସମେଣ୍ଟ ନାମରେ ସାଧାରଣ ଜନତାଙ୍କୁ ଯେଉଁ ଭଳି ଭାବରେ ହଇରାଣ ହରକତ କରିବା ସହ ଗୁଣ୍ଡା ଗର୍ଦ୍ଦି ଚରମ ସୀମାରେ ପହଞ୍ଚିଛି ତାହା ତୁରନ୍ତ ବନ୍ଦ କରାଯାଉ ।

ସହରରେ ଲାଗିଥିବା ସିସିଟିଭି କ୍ୟାମେରା ରକ୍ଷଣାବେକ୍ଷଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ ହେଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଦୀର୍ଘ ବର୍ଷ ହେଲା ଏହି ସିସିଟିଭି କ୍ୟାମେରା ଲଗାଯାଇଥିବା ଠିକା କାମ ବେଆଇନ ଭାବେ ବିନା ଟେଣ୍ଡରରେ ପ୍ରଦାନ କରାଯାଇଅଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଏଥିରେ ସଂପୃକ୍ତ ଥିବା ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଏଲ୍.ମୋହନ ଦାସ,ରାଜେଶ କୁମାର ସାହୁ, କର୍ପୋରେଟର ଡି.କରୁଣାକର,ସବିତା ସାହୁ,ରଞ୍ଜିତା ବେହେରା,ସବିତା ନାୟକ,ଆସ୍କାରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପୀନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର, ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗାନ୍ଧୀ ନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା

ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ରବି ରାଓ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ନେତା କୁଞ୍ଜବିହାରୀ ପଣ୍ଡା,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଅନୁଜାନନ୍ଦ ବିଶ୍ଵାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ଏସ୍.ରାଣୀ ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।