ଆସିକା : ତା ୨୭/୧୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଏନ୍.ସି.ସି ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ତତ୍ତ୍ବାବଧାନରେ ତଥା ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ସମସ୍ତ ଛାତ୍ରଛାତ୍ରୀଙ୍କ ସୁପରିଚାଳନାରେ ମହାବିଦ୍ୟାଳୟ ପେରେଡ୍ ଗ୍ରାଉଣ୍ଡରେ ଆନୁଷ୍ଠାନିକ ରୂପେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଅତୀବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ନିର୍ବାଚନ ମଣ୍ଡଳିର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଯୋଗ ଦେଇଥିଲେ। କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ପ୍ରଧାନ ସମ୍ମାନନୀୟ ଅତିଥି ରୂପେ ଉପସ୍ଥିତ ଥିଲେ। ସର୍ବପ୍ରଥମେ କଲେଜ ଅଧ୍ୟକ୍ଷ ତଥା ଅତିଥି ମାନଙ୍କ ଦ୍ୟାରା ଏନ୍.ସି.ସି ର ପତ୍ତାକା ଉତ୍ତୋଳନ କରାଯାଇଥିଲା। କଲେଜ ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ବାରା ଭବ୍ୟ ପ୍ୟାରେଡର ଆୟୋଜନ ହୋଇଥିଲା। ଉକ୍ତ ପ୍ୟାରେଡ୍ ରେ ଆସିକା ସୁଗାର ଇଣ୍ଡଷ୍ଟ୍ରି ହାଇସ୍କୁଲର ଅବସର ପ୍ରାପ୍ତ ଏନ୍.ସି.ସି. ଶିକ୍ଷକଙ୍କ ଦ୍ବାରା ଏନ୍.ସି.ସି. କ୍ୟାଡେଟ୍ ମାନେ ଯୋଗ ଦେଇଥିଲେ। ଉକ୍ତ କ୍ୟାଡେଟ୍ ମାନଙ୍କ ଅଭିବାଦନକୁ ମୁଖ୍ୟ ଅତିଥି ଶ୍ରୀମତୀ ସ୍ବାଇଁଙ୍କ ସହିତ ସମସ୍ତ ଅତିଥି ଗ୍ରହଣ କରିଥିଲେ। ଉକ୍ତ ଆୟୋଜନରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ‘ହମ ସବ୍ ଭାରତୀୟ ହେଁ ‘ ଦେଶପ୍ରେମ ସଂଗୀତ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା।ମୁଖ୍ୟ ଅତିଥି ଦେଶର ୭୫ତମ ଏନ୍.ସି.ସି ଦିବସର ସମ୍ମାନାର୍ଥେ ସମସ୍ତ ଏନ୍.ସି.ସି କ୍ୟାଡେଟ୍ ମାନଙ୍କୁ ଦେଶମାତୃକାର ରକ୍ଷା ନିମନ୍ତେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଏନ୍.ସି.ସି. ଦିବସର ମୁଖ୍ୟ ଉଦ୍ଦେଶ୍ୟର ବାର୍ତ୍ତା ପ୍ରତିପାଦନ କରିଥିଲେ। ସମ୍ମାନୀତ ଅତିଥି ପ୍ରଫେସର ପ୍ରଧାନ ଏନ୍.ସି.ସିର କୌଶଳ ଶିକ୍ଷା ମାଧ୍ୟମରେ ଶୀୟାଚୀନ ତଥା ପାକିସ୍ତାନ ବୋର୍ଡରେ ଭବିଷ୍ୟତର ଉପଯୁକ୍ତ ଅଧିକାରୀ ହେବା ପାଇଁ ସମସ୍ତ କ୍ୟାଡେଟ୍ ମାନଙ୍କୁ ଆଶା ସଂଚାର କରିଥିଲେ। ଏନ୍.ସି.ସି. ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଜନେତା ନଚିକେତା ସ୍ବାଇଁ କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା, ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ, ପିଇଟି ସନ୍ତୋଷ କୁମାର ପ୍ରଧାନ, ସନ୍ତୋଷ ମହାରଣା, ସାଲବେଗ ନାୟକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ ଏନ୍.ସି.ସି ଅଧକାରୀ ପ୍ରଫେସର ଶଙ୍କର ପ୍ରସାଦ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

