You are currently viewing ଦେବ ଦୀପାବଳୀ ଅବସରରେ ଶ୍ରାଦ୍ଧ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ |
ଦେବ ଦୀପାବଳୀ ଅବସରରେ ଶ୍ରାଦ୍ଧ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ |

ଖଲ୍ଲିକୋଟ : 12/12
ଆଜି ପବିତ୍ର ମାର୍ଗସୀର ମାସ ଅମାବାସ୍ୟା ତିଥିରେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବା ସହିତ ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଚନ୍ଦନ ଅର୍ଗଳିରେ ପଦାର୍ପଣ କରି ମାନବୀୟ ଲୀଳା ପ୍ରକାରେ ନିଜର ପିତୃ ପୁରୁଷ ଭାବରେ ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଅର୍ପଣ କରିଥିଲେ l ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଦେବ ଦୀପାବଳୀ ଆସନ୍ତା କାଲି ଅର୍ଥାତ୍ ପ୍ରତିପ୍ରଦା ଦିନ ପାରମ୍ପରିକ ବିଧି ମୁତାବକ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା ଓ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାରାଣୀଙ୍କୁ ଶ୍ରାଦ୍ଧ ସମର୍ପଣ କରିବାର ସୁବନ୍ଦୋବସ୍ତ ରହିଛି l ପ୍ରକାଶ ଥାଉକି ଦେବ ଦୀପାବଳୀ ର ପ୍ରଥମ ଦିନ ଅର୍ଥାତ୍ ଗତକାଲି ଚତୁର୍ଦ୍ଦଶୀ ଅବସର ରେ ମହାପ୍ରଭୂ ତାଙ୍କ ପିତୃପୁରୁଷ କଶ୍ୟପ ଓ ଅଦିତିଙ୍କୁ ଦୀପଦାନ କରି ଯଥା ରୀତି ଅନୁସାରେ ଶ୍ରାଦ୍ଧ ସମର୍ପଣ କରିଥିଲେ l

ଆଜି ଦେବ ଦୀପାବଳୀ ଅବସରରେ ଖଲ୍ଲିକୋଟ ଜଗନ୍ନାଥ ସେନା ପକ୍ଷରୁ ଏକ ହଜାର ଆଠ ଦୀପ ସିଂହଦ୍ଵାର ଗୁମୁଟ, ବାଇଶି ପାହାଚ, ସ୍ନାନମଣ୍ଡପ, ଗୋପୀନାଥ ମନ୍ଦିର, ଗରୁଡ ବଖରା, ମହାଲକ୍ଷ୍ମୀ ମନ୍ଦିର ଓ ଭିତର କାଠ ସମ୍ମୁଖରେ ପ୍ରଜ୍ବଳନ କରାଯାଇଥିଲା। ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ମହାପ୍ରଭୂ ଙ୍କ ଶ୍ରାଦ୍ଧ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ମନେ କରିଥଲେ।

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )