ଭଞ୍ଜନଗର – ( ଚିତ୍ତରଞ୍ଜନ ଗନ୍ତାୟତ )ଗୋଠଲୁଣ୍ଡା ବଣିଆପଲ୍ଲୀ ସାହିରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ପରିବାରର ୬ ବଖରା ଚାଳ ଘର ପାଉଁଶ ହୋଇଯାଇଛି । ବେଲଗୁଣ୍ଠା ଥାନା ବଣିଆପଲ୍ଲୀ ର କୁନା ନାଇକ, ଅମର ନାଇକ, ସାମଲ ନାଇକ, ଶୟନ ନାଇକ ଓ ଇଲାସ ନାଇକଙ୍କ ଘର ସମ୍ପର୍ଣ୍ଣ ପୋଡି ଯାଇଛି । ଗତ କାଲି ରାତିରେ ଏକ ନିର୍ବନ୍ଧ ଭୋଜି ରୁ ଯାଇ ରାତି ୧୦ ଟାରେ ଫେରିଥିଲେ । ରାତି ପ୍ରାୟ ୧୧ ଟା ସମୟରେ ହଠାତ ଉଷୁମ ଲାଗିବା ସହ ଘର ଖୁବ ଆଲୁଅ ହୋଇ ଉଠିବା ଓ ଜଳିବା ଶବ୍ଦ ଶୁଣି ଘର ଲୋକମାନେ ଉଠି ବାହାରକୁ ଆସିଥିଲେ ନିଜ ଘର ଜଳୁଥିବା ଦେଖି ଚିତ୍କାର କରିଥିଲେ । କେହି କିଛି ବୁଝିବା ପୂର୍ବରୁ ପାଞ୍ଚ ଟି ଚାଳ ସମ୍ପୂର୍ଣ୍ଣ ଜଳି ପୋଡି ଯାଇଛି । ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲେ ମଧ୍ୟ ଗାଁ କୁ ଭଲ ରାସ୍ତା ଟିକିଏ ନଥିବାରୁ ଠିକ ସମୟରେ ଗାଡି ଗାଁ ରେ ପହଁଚି ପାରିନଥିଲା । ପିନ୍ଧା ଲୁଗା କୁ ଛାଡିଦେଲେ ସେମାନଙ୍କ କୌଣସି ଜିନିଷ ଉଧାର ହୋଇପାରିନାହିଁ । ଖବର ପାଇ ବେଙ୍ଗସର ଗ୍ରାମର ଶିକ୍ଷୟତ୍ରୀ ସଚଳା ନାୟକ ନିଜ ସ୍କୁଟିରେ କିଛି ବସ୍ତ୍ର ଓ କମ୍ବଳ ନେଇ ବଣ୍ଟନ କରିଥିବା ବେଳେ ପ୍ରତାପୁର ପଂଚାୟତ ସମିତି ସଭ୍ୟ ପ୍ରତିନିଧି ଶୁସାନ୍ତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ଜୀବିତାନନ୍ଦ ନାୟକ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ଚାଉଳ, ଡାଲି, ପରିବା ଆଦି ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପରି ବ୍ୟବସାୟୀ ସୂର୍ଯ୍ୟ ସେଠି ସକାଳୁ ସାହିରେ ପଂହଁଚି ପାଞ୍ଚ ପରିବାରକୁ ଚୁଡା ଚିନି ପ୍ରଦାନ କରିଛନ୍ତି ।ଏହି ଅସହାୟ ପରିବାର ମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇବାକୁ ଦାବି ହୋଇଛି ।
