ଖଲ୍ଲିକୋଟ :15.01.2024
୨୦୧୭ ମସିହାଠାରୁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ପଂଚାୟତର ଦେବୀଝର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ପ୍ରତିଷ୍ଠା ହୋଇ ପୂଜା ଅର୍ଚନା ପାଉଥିବା ଚଣ୍ଡୀ ଠାକୁରାଣୀ ଓ ଚଣ୍ଡେଶ୍ୱର ମହାଦେବ ମନ୍ଦିର ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଏକ ମକର ମେଳାର ଆୟୋଜନ କରାଯାଇଛି l

ଏହି ମକରମେଳାକୁ ଧୁମଧାମରେ ପାଳନ କରାଯାଇଛି ଖଲ୍ଲିକୋଟ ବ୍ଲକର ବାଦପଲ୍ଲୀ ,ବାକୁଟୁଗାଁ ,ଆଇତିପୁର ଓ ତେନ୍ତୁଳିଆପଲ୍ଲୀ ପ୍ରଭୃତି ପଂଚାୟତର ଲୋକ ମାନଙ୍କୁ ନେଇ ଏକ କମିଟି ବ୍ୟବସାୟୀ ତଥା ଯୁବନେତା କାଳୁରାମ ମହାରଣାଙ୍କ ଦ୍ବାରା ସଂଗଠିତ କରାଯାଇଛି। ଏ ଅବସରରେ ଜଙ୍ଗଲ ପାହାଡ ଘେରା ପରିବେଶକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇ ଲୋକଙ୍କ ଉପଭୋଗ ପାଇଁ ରାମାୟଣ ଭଳି ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା l

ଦିନ ତମାମ ଖଲ୍ଲିକୋଟ ଅଂଚଳର ଏହି ସବୁ ପଂଚାୟତ ସମେତ ପଡୋଶୀ ବେଗୁନିଆପଡା ,ବାଣପୁର ବାଲୁଗାଁ ଅଂଚଳର ବହୁ ପୁରୁଷ ମହିଳା ଏହି
ପର୍ଯ୍ୟଟନ ସ୍ଥଳୀକୁ ଆସି ସଂକ୍ରାନ୍ତି ଉପଲକ୍ଷେ ଉଭୟ ଶୈବ ଶାକ୍ତ ଥିବା ମନ୍ଦିରରେ ଦିନ ତମାମ ରହି ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞରେ ସାମିଲ ହୋଇ ପୂଜା ଅର୍ଚନା କରିଥିଲେ l ଏଠାରେ ବାଦପଲ୍ଲୀ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକରୁ ବହୁ ପୁରୁଷ ଓ ଆଦିବାସୀ ମାନଙ୍କ ସମେତ ପ୍ରାୟ ପଚିଶି ହଜାରରୁ ଉର୍ଧ ଭକ୍ତ ଓ ଦେଖଣାହାରୀଙ୍କ ଭିଡ ଜମିଥିଲା l ବିଭିନ୍ନ ଅସ୍ଥାୟୀ ଦୋକାନ ଖୋଲାଯାଇ ଥିବା ବେଳେ ଏହି ମକର ମେଳାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଭେଜିପୁଟ ଫାଣ୍ଡି ପୋଲିସ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ କରିଥିଲେ l

ଲୋକମାନେ ଦେବୀଝର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିଥିଲେ। ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
