କୋଦଳା
ପୁଣି ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ। ଚୋରା ମଦ କାରବାର ଉପରେ ଚଢାଉ କରି ପୁଣି ଥରେ ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଅବକାରୀ କର୍ମଚାରୀ। ଗଞ୍ଜାମ ଜିଲ୍ଲା କୋଦଳାରେ ବାରମ୍ବାର ଘଟୁଛି ଏଭଳି ଅଘଟଣ। ଗତ ୪ ମାସ ତଳେ ଜଣେ ଅବକାରୀ କର୍ମଚାରୀଙ୍କୁ କୋଦଳା ଅଞ୍ଚଳରେ ଆକ୍ରମଣ ହୋଇଥିବା ବେଳେ ଏବେ ପୁଣି ଗତକାଲି ଜଣେ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ଅଞ୍ଚଳରେ ଚୋରା ମଦର ବନ୍ୟା ଛୁଟିଥିବା ବେଳେ ଏହା ଉପରେ ରୋକ୍ ଲଗାଇ ପାରୁନି ଅବକାରୀ ଏବଂ ପୋଲିସ। ଗୋଟିଏ ପଟେ ଅବକାରୀ ବିଭାଗ ଚଢାଉ କରୁଥିବା ବେଳେ ଅନ୍ୟ ପଟେ ପୋଲିସର ସହଯୋଗ ମିଳୁନଥିବା ଏବଂ ଅବକାରୀ ବିଭାଗ ପାଖରେ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ହଟହଟା ହେଉଛନ୍ତି ଅବକାରୀ କର୍ମଚାରୀ। ମୋଟାମୋଟି କହିବାକୁ ଗଲେ, ଅବକାରୀ ବିଭାଗ ଓ ପୋଲିସ ମଧ୍ୟରେ ତାଳମେଳର ଅଭାବରୁ କୋଦଳା ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଖୁଲମଖୁଲା ଚୋରା ମଦ କାରବାର ଚାଲୁଥିବା ଅଞ୍ଚଳବାସୀ କହିଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୧ ଟା ବେଳେ କୋଦଳା ମାଛ ବଜାର ନିକଟରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗରେ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଯୁଧିଷ୍ଠିର ମୁନି ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ଗିରଫ କରିଥିଲା। ଏହା ପରେ ତାଙ୍କୁ ଖଲ୍ଲିକୋଟ ଅବକାରୀ ଥାନାକୁ ନିଆଯିବା ପରେ କୋଦଳା କୋର୍ଟ ରେ ହାଜର ପାଇଁ ଅଣାଯାଇଥିଲା। ତେବେ କୋର୍ଟ ପରିସରରେ ୫ ରୁ ୭ ଜଣ ବ୍ଯକ୍ତି ହଠାତ୍ ଆସି ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଅବକାରୀ କର୍ମଚାରୀଙ୍କ ମୁଣ୍ଡ ଫାଟି ସେ ଆହତ ହୋଇଥିବା ଜଣାଯାଇଛି।ଘଟଣାକୁ ନେଇ କୋଦଳା ଥାନାରେ ୫ ଜଣଙ୍କ ନାମରେ ଏତଲା ଦିଆଯାଇଛି ବୋଲି କହିଛନ୍ତି ସଦର ଅବକାରୀ ଇନିସପେକ୍ଟର ଦିପ୍ତିମୟୀ ସାହୁ।
ଘଟଣା ପରେ ପୋଲିସ ଛାନଭିନ୍ କରି ଆଉ ଜଣେ ଅଭିଯୁକ୍ତ ଗୋଲେଖ ପରିଡାଙ୍କୁ ଗିରଫ କରି ଥାନାକୁ ଆଣିଥିବା ଜଣାପଡିଛି। ଘଟଣାରେ ଆଉ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।ମଙ୍ଗଳବାର ୩ ଅଭିଯୁକ୍ତ
ଗୋଲେଖ ପରିଡା, ଯୁଧିଷ୍ଠିର ମୁନି ଓ ଗୌରୀ ମୁନିକୁଂ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।କେଶ୍ ନମ୍ବର ୮୦୩ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା ୩୪୧, ୩୩୨, ୩୦୭, ୨୨୪, ୨୨୫, ୩୨୩, ୩୫୩ ଓ ୩୪ ଆଇପିସିରେ ତଦନ୍ତ ହେଉଥିବା କହିଛନ୍ତି କୋଦଳା ଥାନା ସବ୍ ଇନିସପେକ୍ଟର ଆରତୀ କୁମାରୀ ପରିଡା।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

