ରାଜଗାଙ୍ଗପୁର:- ଗୁରୁବାର ଦିନ ପଶ୍ଚିମ ଓଡିଶା ସଂସ୍କୃତିକ ପରିଷଦ ରାଜଗାଙ୍ଗପୁର ତରଫରୁ ବିଗତ ଜାନୁୟାରୀ ୨୩ ତାରିଖ ଶୀତ ସନ୍ଧ୍ୟାରେ ସୁଶାନ୍ତ ପାଣିଗ୍ରାହୀ ଓ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ମନୋରମ ଛାତ ଉଦ୍ୟାନରେ, ଡକ୍ଟର ସରୋଜିନୀ ସାହୁଙ୍କ ଅଧ୍ଯକ୍ଷତାରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ସୁଜାତା ଦାଶଙ୍କ ସ୍ଵାଗତ ଭାଷଣପରେ ପରିଷଦର ବରିଷ୍ଠ ଉପଦେଷ୍ଟା ଇଞ୍ଜିନିୟର ରମେଶ ପ୍ରସାଦ ପାଣିଗ୍ରାହୀ ଭାରତ ତଥା ଓଡିଶାର ମହାନ ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପରେ ପରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ଵାଧୀନତା ସଂଗ୍ରାମର ବୀର ଗାଥା ଉପରେ ସେ ବିଷଦ ଭାବରେ ଆଲୋଚନା କରିବା ସହ ଆଜିକାର ଛାତ୍ରଛାତ୍ରୀ ତଥା ଯୁବ ପିଢୀଙ୍କୁ ବିପ୍ଳବୀ ବୀରଙ୍କ ଆଦର୍ଶରେ କିପରି ଅନୁପ୍ରାଣିତ କରାଯାଇ ପାରିବ ସେ ବିଷୟରେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରିଷଦର ସଭ୍ୟମାନେ ଏହା ଉପରେ ଦେଇଥିବା ସୁଚିନ୍ତିତ ମତ ଗୁଡିକ ହେଉଛି- ପିଲାମାନଙ୍କୁ ସୁରେନ୍ଦ୍ର ସାଏଙ୍କ ଜୀବନୀକୁ କାହାଣୀ ଭଳି ଶୁଣାଇବା, ଜୀବନୀ ବା ବୀର ଗାଥା ଉପରେ ପ୍ରସ୍ତୁତ ଭିଡିଓ ଦେଖାଇବା, ତାଙ୍କ ଜନ୍ମଭୂମି ଓ କର୍ମ ଭୂମିକୁ ଅବସର ସମୟରେ ବୁଲିଯିବା ଇତ୍ୟାଦି। ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଓ ସ୍ମାରକୀ ପ୍ରତିଷ୍ଠାପାଇଁ ସଠିକ ଉପାୟରେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବା , ସୁରେନ୍ଦ୍ର ସାଏଙ୍କ ଉପରେ ଗବେଷଣା କରି ତାଙ୍କର ଅନାଲୋଚିତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ

ବିଶ୍ବବିଦ୍ୟାଳୟରେ ପ୍ରସ୍ତାବ ରଖିବା ଭଳି ଯୁଗପୋଯୋଗୀ ଗୁରୁତ୍ବପୂର୍ଣ ଦିଗ ଉପରେ ମଧ୍ୟ ଆଲୋଚନା କରଯାଇଥିଲା। ସୁଜାତା ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସନ୍ଧ୍ୟାରଣୀ ମହାପାତ୍ର ଧନ୍ୟବାଦ ଅର୍ପଣା କରିଥିଲେ। ସୁଜିତ ତଣ୍ଡକର, ମୁନେଶ ମିଶ୍ର, ପ୍ରମୋଦ ମିଶ୍ର, ସହଦେବ ସେଠ,ଗୋପାଳ କୃଷ୍ଣ ବାବୁ, ସଂଜୀବ ସେନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସଭା କାର୍ଯ୍ୟଟିକୁ ସଫଳ କରିଥିଲେ।
ରିପୋର୍ଟ,,ଅବଦୁଲ ରଜାକ ଖାନ
