You are currently viewing ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫: ଗଞ୍ଜାମ ଜିଲ୍ଲାକୁ ମିଳିଲା ୩ଟି ଶ୍ରେଷ୍ଠ ଜାତୀୟ ସମ୍ମାନ, ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ
ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫: ଗଞ୍ଜାମ ଜିଲ୍ଲାକୁ ମିଳିଲା ୩ଟି ଶ୍ରେଷ୍ଠ ଜାତୀୟ ସମ୍ମାନ, ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

ଛତ୍ରପୁର,ଗଞ୍ଜାମ ୪/୫(ସୁରେଶ ତ୍ରିପାଠୀ )
ନୂଆଦିଲ୍ଲୀସ୍ଥିତ ‘ସ୍କୋପ୍ କନଭେନସନ ସେଣ୍ଟର’ (SCOPE Convention Centre) ଠାରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ ସମାରୋହରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛି। ଏହି ବିପୁଳ ସଫଳତାକୁ ନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଆନନ୍ଦ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସରକାରୀ ପତ୍ର ଲେଖି ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ କରିବାକୁ ଅନୁରୋଧ କରିଛନ୍ତି।


ଗଞ୍ଜାମ ଜିଲ୍ଲାର ସଫଳତା ଓ ପୁରସ୍କାର ବିବରଣୀ:
ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ୨୦୨୫: ଗଞ୍ଜାମ ଜିଲ୍ଲା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୩ କୋଟି ଟଙ୍କାର ପୁରସ୍କାର ରାଶି ହାସଲ କରିଛି।
ମନ୍ଦାର ଗ୍ରାମ ପଞ୍ଚାୟତ (ପୋଲସରା ବ୍ଲକ): ‘ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷିତ ପଞ୍ଚାୟତ’ ଶ୍ରେଣୀରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ପାଇ ୩୭.୫ ଲକ୍ଷ ଟଙ୍କା ଲାଭ କରିଛି।
ପୋତଳାମପୁର ଗ୍ରାମ ପଞ୍ଚାୟତ: ଦେଶର ଶ୍ରେଷ୍ଠ ‘ସ୍ୱାସ୍ଥ୍ୟ ସମ୍ପନ୍ନ ପଞ୍ଚାୟତ’ (Healthy Panchayat) ଭାବେ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇ ୨୫ ଲକ୍ଷ ଟଙ୍କା ପୁରସ୍କାର ପାଇଛି।
ସାଂସଦଙ୍କ ପ୍ରତିକ୍ରିୟା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ:
ମାନ୍ୟବର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହି ଗୌରବମୟ ସଫଳତା ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ଛତ୍ରପୁର ବିଡିଓ ଶ୍ରୀ ସମ୍ବିତ ସଂଗ୍ରାମଜିତ ସାହୁ, ପୋତଳାମପୁର ସରପଞ୍ଚ ଶ୍ରୀ ନିରଞ୍ଜନ ପ୍ରଧାନ ଏବଂ ପିଇଓ ଶ୍ରୀମତୀ ରୋଜାଲିନ ବେହେରାଙ୍କ ସମେତ ସମସ୍ତ ଗ୍ରାଉଣ୍ଡ୍-ଲେଭଲ୍ ପ୍ରତିନିଧିଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି। ଏହା ସହିତ ସେ କେନ୍ଦୁଝର ଜିଲ୍ଲାର ପାଣ୍ଡୁଆ ପଞ୍ଚାୟତ ଓ ସୁନ୍ଦରଗଡ଼ର ହାତୀବାନ୍ଧା ପଞ୍ଚାୟତର କୃତିତ୍ୱକୁ ମଧ୍ୟ ପ୍ରଶଂସା କରିଛନ୍ତି।
ସାଂସଦ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କି, ଏହି ସଫଳ ପଞ୍ଚାୟତ ଓ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଉ ଏବଂ ଗଞ୍ଜାମ ଜିଲ୍ଲାର ଏହି ମଡେଲ ପଞ୍ଚାୟତଗୁଡ଼ିକର ଅଧିକ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଅନ୍ତୁ।


ଏହି ଚିଠିର ନକଲ ପଞ୍ଚାୟତିରାଜ ମନ୍ତ୍ରୀ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।