You are currently viewing ୭୮ ଦିନର ଅବିରତ ପଦଯାତ୍ରାଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓଟଙ୍କା ଦେଇ ଦର୍ଶନ ବନ୍ଦ କରପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
୭୮ ଦିନର ଅବିରତ ପଦଯାତ୍ରାଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓଟଙ୍କା ଦେଇ ଦର୍ଶନ ବନ୍ଦ କରପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ

ପୁରୀ,୧୭/୬ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୭୭ ଦିନରେ ପହଞ୍ଚିଛି। ଏହା ଆଉ କେବଳ ଏକ ଆନ୍ଦୋଳନ ନୁହେଁ; ଏହା ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ।

ଗତ ଏପ୍ରିଲ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ ? ପ୍ରତ୍ୟେକ ପଦକ୍ଷେପରେ ରହିଛି ଭକ୍ତିର ଅର୍ପଣ, ପ୍ରତ୍ୟେକ ଧ୍ୱନିରେ ରହିଛି ଆତ୍ମାର ଆକୁଳ ଡାକ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପିତ ପଥରେ ମିଶିଯାଉଛି ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା। ଏହି ପଦଯାତ୍ରା ଆଜି ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି।ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି।

ତାଙ୍କ ମହାପ୍ରସାଦରେ ଯେପରି ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ। ଭଗବାନଙ୍କ ଦ୍ୱାରରେ ଭିଆଇପି ଓ ସାଧାରଣର ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ। ସେଥିପାଇଁ ଏହି ପଦଯାତ୍ରା କେବଳ ପ୍ରବେଶ ଅଧିକାରର ଦାବି ନୁହେଁ, ବରଂ “ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ।ନାରୀ ପୁରୁଷ, ଯୁବକ ବୃଦ୍ଧ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ମୁହଁରେ ଭକ୍ତିର ଦୀପ୍ତି, ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା—”ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।୭୮ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ। ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ହେଉଛି ପ୍ରାର୍ଥନା, ବେଦନା ହେଉଛି ଶକ୍ତି ଏବଂ ଭକ୍ତି ହେଉଛି ଅହିଂସା ପ୍ରତିବାଦର ମାଧ୍ୟମ।ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର ,ଚକ୍ରଧର ମହାପାତ୍ର,ସୁକାନ୍ତ ପଣ୍ଡା,ଶିବସୁନ୍ଦର ମିଶ୍ର,ମନୋରଞ୍ଜନ ରଣସିଂହ,ମମତା ସ୍ୱାଇଁ, ସରସ୍ୱତୀ ପାତ୍ର,ପ୍ରଣତି ରାୟ, ସନ୍ଧ୍ୟା ରାଣୀ ମିଶ୍ର,ଛବି ରାଣୀ ମହାରଣା, ବନିତା ଦିକ୍ସିତ, ବର୍ଷା ଦାସ,ଅରୁଣା ପଟ୍ଟନାୟକ, ରାଜା ମହାନ୍ତି,ଜାଦବା ନନ୍ଦ ରାୟ ,ପ୍ରଫୁଲ୍ଲ କୁମାର ସାହୁ, ଜଗନ୍ନାଥ୍ ମହାନ୍ତି,କିଶୋର ଚନ୍ଦ୍ର ଦାସ, ନୃସିଂହ ନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ସନ୍ତୋଷ ସେନାପତି, ଶିଶିରକାନ୍ତ ଶତପଥୀ, ଜଗନ୍ନାଥ ମହାନ୍ତି, ଅଭିମନ୍ୟୁ ରାୟଗୁରୁ, ପ୍ରଦୀପ୍ତ କୁମାର ମହାନ୍ତି, ସାରଙ୍ଗଧର ଷଡଙ୍ଗୀ, ଲାଲା ଅନନ୍ତ କୁମାର ସିଂ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ। ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ ।