You are currently viewing ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ
ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

ବାଲିଗୁଡା, ତା, ୧୭/୦୬ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ବାଲିଗୁଡ଼ା ଏନ୍‌ଏସିର ୧୨ ନମ୍ବର ୱାର୍ଡ କଲେଜ ଘାଟି ଉପରେ ରହିଛି, ବାଲିଗୁଡା ର ଉପକାରାଗାର । ଜେଲ୍ ପରିସରରୁ ଗାଧୁଆ ପାଣି ସହ ରୋଷେୟୀ ବାସକୁସନ ଧୁଆ, ହାତଧୁଆ ଆଦି ପାଣି ଜେଲ୍ କାନ୍ଥ ଦେଇ ବାହାରକୁ ଆସି ରାସ୍ତା ପାର୍ଶ୍ବରେ ପୋଖରୀ ସଦୃଶ ଜମାହୋଇ ଦୁର୍ଗନ୍ଧ ହେଉଛି ।

ଜେଲ ପଛପାଖରେ ଗୁଳିମରାପଦା ସାହି ରହିଛି। ପ୍ରାୟ ଦୁଇଶହରୁ ଅଧୂକ ପରିବାର ବସବାସ କରୁଥିବା ବେଳେ ଦୁର୍ଗନ୍ଧ ଯୋଗୁଁ କଲବଲ ହେଉଛନ୍ତି। ଉକ୍ତ ଆର୍ବଜନା ପାଣି କୁଆଡେ ଯାଉନଥିବା ଏବଂ ଦୀର୍ଘଦିନ ଧରି ଜମା ରହୁଥିବା ଯୋଗୁଁ ନିକଟରେ ଥ‌ିବା ପୋଖରୀ ଏବଂ ଲୋକଙ୍କ କୂଅରେ ମିଶୁଥ‌ିବା ଅଭିଯୋଗ ହୋଇଛି। ଉକ୍ତ ପାଣି ବ୍ୟବହାର କରି ଅଞ୍ଚଳବାସୀ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ ପଟେ ଗୁଳିମରାପଦା ସାହି ଦେଇ ଲୋକମାନେ ଜିମାରଗାଁ ସହିତ ଅନ୍ୟ ଗାଁ କୁ ଯାତାୟାତ କରୁଛନ୍ତି । ଦୁର୍ଗନ୍ଧ ରେ ନାକ ଫାଟି ଯାଉଥିବା ଯୋଗୁଁ ଉକ୍ତ ରାସ୍ତା ଦେଇ ଯାତାୟାତ କରିବାକୁ ଇଛା ପ୍ରକାଶ କରୁନାହାନ୍ତି । ଉକ୍ତ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ଜେଲର ଙ୍କୁ ଓ ଉପ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନି । ଏ ସମ୍ପର୍କରେ ଉପ କାରାଗାର ଅଧିକାରୀ ଅଜୟ ଗୁରୁଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଆମ ଜେଲର ଆବର୍ଜନା ପାଣି ଜେଲ୍ ପଛପଟ ଡ୍ରେନଦେଇ ବାହାରକୁ ଯାଉଛି ।

କିନ୍ତୁ ବାହାରେ ଡ୍ରେନ କିମ୍ବା ସୋପିଟ ବ୍ୟବସ୍ଥା ନାହିଁ । ତେଣୁ ଆବର୍ଜନା ପାଣି ବାହାରେ ଜମି ରହୁଛି । ଏହାର ସମାଧାନ ଏନଏସି କର୍ତ୍ତୃପକ୍ଷ କରିବା କଥା । ଆବର୍ଜନା ପାଣି ନେଇ ନିକଟରେ ରହୁଥ‌ିବା ବାସିନ୍ଦା ଜଣାଇଛନ୍ତି । ଏହାକୁ ନେଇ ଆମେ ଉପଜିଲ୍ଲାପାଳଙ୍କୁ ଅବଗତ କରିଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟକାରୀ ହୋଇନି ବୋଲି କହିଛନ୍ତି । ଏଥି ପ୍ରତି ସ୍ଥାନୀୟ ଉପଜିଲ୍ଲାପାଳ ଓ ଏନ ଏ ସି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡ଼ ଦାସିନ୍ଦା ଦାବୀ କରିଛନ୍ତି l