You are currently viewing ଚିକିଟୀ ମହାବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ତଦନ୍ତ ଦାବି କଲେ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ
ଚିକିଟୀ ମହାବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ତଦନ୍ତ ଦାବି କଲେ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ

ଚିକିଟୀ– ଗଞ୍ଜାମ ଜିଲ୍ଲା ଚିକିଟୀ ମହାବିଦ୍ୟାଳୟରେ ହେଉଥିବା ବିଭିନ୍ନ ଅନିୟମିତତାକୁ ନେଇ ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ, ଆର୍ଥିକ ପରିଚାଳନା ଓ ଅନ୍ୟାନ୍ୟ ବିଷୟରେ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ନେଇ ଅଭିଯୋଗ ଆସୁଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ଉଚିତ ବୋଲି ସେ ଦାବି କରିଛନ୍ତି ଏବଂ ତା ସହିତ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ଓ ସମୟାନୁବର୍ତିତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ।ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ। ଚିକିଟୀ ମହା ବିଦ୍ୟାଳୟ ବହୁ କଷ୍ଟରେ ଆରମ୍ଭ ହୋଇଥିଲା। ପୂର୍ବ ସରକାର ଅମଳରେ ମହା ବିଦ୍ୟାଳୟରେ ପିଜି ଅପଗ୍ରେଡ ହୋଇଥିଲା। ମହା ବିଦ୍ୟାଳୟରେ ଥିବା ହଷ୍ଟେଲ କେବଳ ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେହି ହଷ୍ଟେଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ କିପରି ରହୁଛନ୍ତି। ଏଥି ସହିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲ ରହିବା ପାଇଁ ମହା ବିଦ୍ୟାଳୟ କର୍ତୁପକ୍ଷ କିପରି ଅନୁମତି ଦେଇଥିଲେ। ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ସେମାନଙ୍କ ପାଖରେ ଆଦାୟ କରୁଥିବା ଅର୍ଥ କାହା ପକେଟକୁ ଯାଉଛି। ଏହି ମହା ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ରାମ ଶଙ୍କର ପଟ୍ଟନାୟକ ନାମକ ଜଣେ ଜୁଲୋଜି ଶିକ୍ଷକ କହୁଛନ୍ତି ଯେ ଆମ ଟିୟୁସନରେ ଯୋଗ ଦେଲେ ତୁମ ମାନଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦିଆଯିବା ସହିତ ପରୀକ୍ଷାରେ ମାର୍କ ମଧ୍ୟ ଭଲ ରଖାଯିବ ବୋଲି କହୁଛନ୍ତି। ଅନ୍ୟ ପକ୍ଷରେ ମହା ବିଦ୍ୟାଳୟ କାର୍ଯ୍ୟାଳୟର ସମୟ ଅତିବାହିତ ପରେ ସ୍ଥାନୀୟ ବିଧାୟକ ଶିକ୍ଷାନୁଷ୍ଠାନକୁ କେଉଁ ଉଦ୍ଦେଶ୍ୟରେ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏପରି ଅନେକ ପ୍ରଶ୍ନ କରିଛନ୍ତି ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।