ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥଙ୍କ ପୌରୋହିତ୍ୟରେ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରାଯିବା ସହ ମହାବିଦ୍ୟାଳୟ ର ନୀତିନିୟମ ଉପରେ ସଚେତନ କରାଯାଇଥିଲା। ପାଠପଢ଼ା ସହ ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ବିକାଶ ପ୍ରତି ଧ୍ୟାନ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଯୁକ୍ତ ଦୁଇ ନାମଲେଖା ସଂଯୋଜକ ତଥା ଷ୍ଟାଫ୍ କାଉନସିଲ୍ ସଚିବ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ସଭା ପରିଚାଳନା କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଭଗବଦ୍ ଗୀତାର ଆଦର୍ଶ ଅନୁସରଣ କରି ଜ୍ଞାନ, କର୍ମ ଓ ନୈତିକତାର ସମନ୍ୱୟରେ ଜୀବନକୁ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ।

ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଆତ୍ମ ସୁରକ୍ଷା ଶିବିର, ସରକାର ଙ୍କ ଶିକ୍ଷା ବିଭାଗ ର ଶିକ୍ଷା ଜ୍ୟୋତି, ସାଥୀ, ଅନଲାଇନ କ୍ଲାସ ଏବଂ ୱେବିନାର ବିଷୟ ରେ ଅବଗତ କରାଇଥିଲେ। ଶିକ୍ଷା ଅଧିକାରୀ ସୁଧାଂଶୁ ମୁଖୀ ପାଢ଼ୀ, ଅଧ୍ୟାପକ ସୁବାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ଦାସ, ଡ. ସୁରେନ୍ଦ୍ର ଶବର, ସଞ୍ଜୟ କୁମାର ଭୂୟାଁ, କାଳୀ ପ୍ରସାଦ ରେଡ୍ଡୀ, ଅଧ୍ୟାପିକା ମେଡ୍ ଲିନ୍ କୁଜୁର୍, ଡ. ଶାରଦା, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ସରକାର ଙ୍କ ଜ୍ଞାନୋଦୟ ଯୋଜନା ଅଧୀନରେ ଦେୟମୁକ୍ତ ଶିକ୍ଷା ସୁଯୋଗ ରେ ୭୫ ଶତକଡ଼ା ଉପସ୍ଥାନ ବାଧ୍ୟତାମୂଳକ ଅଟେ ଏବଂ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ନାମଲେଖା, ମେଧାବୃତ୍ତି ଏବଂ ପରୀକ୍ଷା ସମ୍ପର୍କିତ ସୁବିଧା ବାଧାପ୍ରାପ୍ତ ହେବ ବୋଲି ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଓଁକାରଶ୍ରୀ ପଣ୍ଡା, ସରସ୍ୱତୀ ପଣ୍ଡା, ବର୍ଷା ପାଣିଗ୍ରାହୀ, ରାଜା ସିଂ, ବଡ୍ଡୁ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ନିଜ ପରିଚୟ ପ୍ରଦାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

