You are currently viewing ଟୋକେନ୍ ଅବଧି ସରିଲା, ଧାନ ଉଠିଲାନି ।<br>ଧାନ ବିକ୍ରି କରି ପ୍ରାପ୍ଯ ପାଇ ପାରୁ ନାହାନ୍ତି ଚାଷୀ।
ଟୋକେନ୍ ଅବଧି ସରିଲା, ଧାନ ଉଠିଲାନି ।
ଧାନ ବିକ୍ରି କରି ପ୍ରାପ୍ଯ ପାଇ ପାରୁ ନାହାନ୍ତି ଚାଷୀ।

କୋଦଳା ( ୨୩/୦୨/୨୦୨୩)
ଗଞ୍ଜାମ ଜିଲ୍ଲାରେ ଧାନକିଣାକୁ ନେଇ ବ୍ଯାପକ ଅବ୍ଯବସ୍ଥା ସାମ୍ନାକୁ ଆସିବାରେ ଲାଗିଛି। କେଉଁଠି ଟୋକେନ୍ ଥାଇ ବି ଧାନ ବିକି ପାରୁ ନାହାନ୍ତି ତ ଆଉ କେଉଁଠି ଚାଷୀ ଧାନ ବିକ୍ରି କରି ପ୍ରାପ୍ଯ ପାଇ ପାରୁ ନାହାନ୍ତି। ଏହା ସହ କିଛି ଚାଷୀଙ୍କ ଟୋକେନ୍ ଅବଧି ସରି ଯାଇଥିଲେ ହେଁ, ମଣ୍ଡିରେ ସେମାନଙ୍କ ଧାନ ଉଠିନି ।କାରଣ ଟାର୍ଗେଟ ମିଳିବାରେ ବିଳମ୍ବ ହେଉଛି। ଫଳରେ ବର୍ତ୍ତମାନ ପରିସ୍ଥିତିରେ ଚାଷୀ ଚିନ୍ତାରେ ପଡିଛନ୍ତି ।ସଂରକ୍ଷଣ ସମସ୍ଯା ଯୋଗୁଁ କିଛି ଚାଷୀ ଆନ୍ଧ୍ର ବେପାରୀ ଓ ସ୍ଥାନୀୟ ବେପାରୀଙ୍କୁ କୁଇଣ୍ଟାଲ ପିଛା ୪୦୦ ଟଙ୍କା କମ୍ ରେ ଧାନ ବିକି କ୍ଷତି ସହୁଛନ୍ତି। ବେଗୁନିଆପଡ଼ା ବ୍ଳକରୁ ଆସିଛି ଏଭଳି ଚିତ୍ର।ବ୍ଲକର ମର୍ଦ୍ଦକୋଟ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରୁ ଏବେ ଏଭଳି ଅଭିଯୋଗ ଚାଷୀ ଆଣୁଛନ୍ତି। ଟୋକେନ୍ ଅବଧି ସରି ଯାଇଥିଲେ ମଧ୍ୟ ସମବାୟ ସମିତି ଗୁଡିକ ଚାଷୀଙ୍କ ଧାନ କ୍ରୟ କରୁ ନାହାଁନ୍ତି। ଅପରପକ୍ଷେ ଯେଉଁ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରି ସାରିଛନ୍ତି ସେମାନେ ପ୍ରାପ୍ଯ ପାଇ ପାରୁ ନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ଚାଷୀଙ୍କ ଧାନ କ୍ରୟ କରାଯିବ ୨୪ ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟ କୁ ପ୍ରାପ୍ଯ ପଠାଯିବା କଥା। କିନ୍ତୁ ଏଠି ପ୍ରାୟ ଚାଷୀଙ୍କ କ୍ଷେତ୍ରରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି। ଧାନ ବିକ୍ରି କରିବାର ୧୫ ଦିନ ହୋଇ ଯାଇଥିଲେ ସୁଦ୍ଧା ବ୍ଲକର ମର୍ଦ୍ଦକୋଟ, ସାନ ଉସ୍ତାପଡା, କନ୍ଧ ରାଣୀପଡା, ଫାଶୀ ପ୍ରଭୃତି ଅଞ୍ଚଳର ଚାଷୀମାନେ ସେମାନଙ୍କ ପ୍ରାପ୍ଯ ପାଇ ନଥିବା ଅଭିଯୋଗ କରିଛନ୍ତି। ବେଗୁନିଆପଡ଼ା ବ୍ଳକରେ ମୋଟ ୨ ଲକ୍ଷ ୮ ହଜାର ୭୬୪ କୁଇଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧ ହଜାର କୁଇଣ୍ଟାଲ ଧାନ କ୍ରୟ ସରିଲାଣି ବୋଲି କହିଛନ୍ତି ବ୍ଲକ ଯୋଗାଣ ଅଧିକାରୀ। ବାକି ଧାନ କିଣା ଯିବାକୁ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି। ତେବେ ଗୋଟିଏ ପଟେ ମଣ୍ଡିରେ ସଠିକ୍ ଭାବେ ଧାନ ଉଠୁ ନଥିବା ବେଳେ ଅନ୍ୟ ପଟେ ଧାନ ବିକ୍ରି କରି ମଧ୍ୟ ପ୍ରାପ୍ଯ ନପାଇ ଚିନ୍ତାରେ ଚାଷୀ। ଏଭଳି ଅବ୍ଯବସ୍ଥାକୁ ନେଇ ଗତ ସମିତି ବୈଠକରେ ମଧ୍ୟ ଉତେଜନା ଦେଖିବାକୁ ମିଳିଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।