You are currently viewing ନଦୀ ଗର୍ଭରେ ବୁଡି ଯାଉଥିବା ପୁଅର ଜୀବନ ବଞ୍ଚାଇ ନିଜେ ହାରିଲେ ଜୀବନ ବାପା
ନଦୀ ଗର୍ଭରେ ବୁଡି ଯାଉଥିବା ପୁଅର ଜୀବନ ବଞ୍ଚାଇ ନିଜେ ହାରିଲେ ଜୀବନ ବାପା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି ଗ୍ରାମରେ ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଘୋଡାହଡ ନଦୀ ଗର୍ଭରେ ବୁଡି ଯାଉଥିବା ୧୦ ବର୍ଷର ପୁଅର ଜୀବନ ବଞ୍ଚାଇ ନିଜେ ଜୀବନ ହାରିଛନି ପିତା ଅରୁଣ ପଣ୍ଡା । ଖବରନୁଯାୟୀ , ମୃତ ଅରୁଣଙ୍କ ଘର ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ହୋଇଥିବା ବେଳେ ସେ ବର୍ତ୍ତମାନ ରାଉଲକେଲାରେ କୈାଣସି କାମରେ ନିୟୋଜିତ ରହିଥିଲେ । ତେବେ ପରିବାର ସହ ସେଠାରେ ରହି ଆସୁଥିବା ବେଳେ ସମ୍ପର୍କୀୟ ଭୋଜି ନିମନ୍ତେ ସେ ମଙ୍ଗଳବାର ଦିନ ସପରିବାର ସହ ବ୍ରହ୍ମପୁରରେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ଶଶୁର ଘର ତଲାସିଙ୍ଗିରେ ପହଞ୍ଚିଥିଲେ । ତେବେ ଗାଧୋଇବା ପାଇଁ ଗ୍ରାମ ଦେଇ ବହି ଯାଉଥିବା ଘୋଡାହଡ ନଦୀକୁ ବାପା ଓ ପୁଅ ମିଶି ୨ ଘଣ୍ଟା ସମୟରେ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ପୁଅ ପାଣିରେ ବୁଡି ଯାଉଥିବା ଦେଖି ପାଣି ଗର୍ଭକୁ ଡେଇଁ ପଡ଼ିଥିଲେ ବାପା ଅରୁଣ । ପୁଅକୁ ପାଣି ଭିତରୁ ଠେଲି ଜୀବନ ସିନା ବଞ୍ଚାଇ ଦେଲେ ହେଲେ ନିଜେ ବୁଡି ଯାଇଥିଲେ । ଏନେଇ ପୁଅ ଧାଇଁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀ ଯାଇ ବହୁ ଖୋଜାଖୋଜି କରିଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଦିଗପହଣ୍ଡି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଜଣାଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନଦୀଗଣ୍ଡରୁ ଅରୁଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ( ଦିଗପହଣ୍ଡି ରୁ କିରଣ କୁମାର ବେହେରା)